ସରକାରକା ମାଲ୍‌

ନିରଞ୍ଜନ ସାହୁ

 

ବ୍ୟକ୍ତିଗତ ସମ୍ପତ୍ତିକୁ ବଢ଼େଇବା ପାଇଁ ଆମେ ସମସ୍ତେ ଲାଗିଛନ୍ତି। ତାକୁ ସୁରକ୍ଷା ଦେବା ପାଇଁ କୌଣସି ଟିକିଏ ସମ୍ଭାବନା ବା ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ଆଗ କାଳରେ କୁହାଯାଉଥିଲା ଗୋରୁ, ଭୂମି ଓ କନ୍ୟା, ଏସବୁ ଭାଗ୍ୟରେ ଥିଲେ ପ୍ରାପ୍ତହୁଏ। ଏବେ ସେସବୁ କଥା ପୁରୁଣା ହୋଇଗଲାଣି। ଉଦ୍‌ଯୋଗ କଲେ ଲକ୍ଷ୍ମୀଙ୍କର ଆଗମନ ହୁଏ। ଏହା ବେଶ୍‌ ଭଲ କଥା। ଗୋଟିଏ ଦେଶର ସମ୍ପଦ କହିଲେ ସବୁ ଲୋକଙ୍କ ସାମୂହିକ ସମ୍ପଦ ନୁହେଁ ତ ଆଉ କ’ଣ! ହେଲେ ଆପଣମାନେ ଲକ୍ଷ୍ୟ କରୁଥିବେ ବ୍ୟକ୍ତିଗତ ସମ୍ପତ୍ତି ପାଇଁ ଆମେ ଯେତିକି ଯତ୍ନଶୀଳ, ସର୍ବସାଧାରଣ ସମ୍ପତ୍ତି ପ୍ରତି ସେତିକି ନିସ୍ପୃହ ବା ବୀତସ୍ପୃହ। କଥାରେ ଅଛି Everybody’s responsibility is nobody’s responsibility । ଅର୍ଥାତ୍‌ ଆମର ସର୍ବସାଧାରଣ ସମ୍ପତ୍ତି ପରି ଆମର ସାଧାରଣ ଦୃଷ୍ଟିଭଙ୍ଗୀ ଏହିପରି ଉଦାସୀନ।
ବାସ୍ତବରେ ସର୍ବସାଧାରଣ ସମ୍ପତ୍ତି ଲୋକଙ୍କ ସମ୍ପତ୍ତି ବୋଲି ଆପଣ ଯାଉଣୁଆସୁଣୁ ଅନେକ ବୋର୍ଡ ଝୁଲୁଥିବା ଦେଖିଥିବେ, ମାତ୍ର ସେ ସବୁକୁ ଆମେ ଯେତେ ପଢ଼ିଲେ ବି ସେଥିରେ କାହିଁକି ନିଜକୁ ସାମିଲ କରିପାରନ୍ତି ନାହିଁ ଏକଥା କେବେ ଆମେ ନିଜକୁ ପଚାରିଛେ କି? ଆମେସବୁ ଧରିନେଉ ଯେ ସରକାର ହିଁ ସରକାରୀ ଜମି, ରାସ୍ତା, କୋଠାବାଡ଼ି, ପାର୍କ ଆଉ ଯାହାସବୁ ସର୍ବସାଧାରଣ ବ୍ୟବସ୍ଥା ଅଛି ତା’ର ରକ୍ଷଣାବେକ୍ଷଣ କରିବେ। ଆପଣ କେବେ ନିଜକୁ ପଚାରିଛନ୍ତି କି ଆଜି ଯେଉଁଟିକୁ ଆପଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଆପଣଙ୍କ ପାଖରେ କାଗଜପତ୍ର ଅଛି, କାଲି କୌଣସି ବିଶେଷ ସର୍ବସାଧାରଣ କାମ ପାଇଁ ସରକାର ମଧ୍ୟ ଜମି ଅଧିଗ୍ରହଣ କରି ନେଇଯାଇପାରିବେ। ଆମ ସମ୍ବିଧାନ ନିଜସ୍ବ ସମ୍ପତ୍ତି ଉପରେ ଆମକୁ ନାଗରିକ ଅଧିକାର ପ୍ରଦାନ କରିନାହିଁ। ଏହା କେବଳ ଏକ ଆଇନଗତ ଅଧିକାର। ଆଉ ଗୋଟିଏ କଥା ହେଲା, ଆମେ ସରକାରଙ୍କୁ ଖୁବ୍‌ ବେଶି ଗୁରୁତ୍ୱ ଦେଉଛୁ। ସେ ସବୁ କ୍ଷମତାର ଅଧୀଶ୍ୱର ବୋଲି ଗୋଟାଏ ଧାରଣା ସୃଷ୍ଟି ହୋଇଛି। ସଂସ୍କୃତରେ ତ ସରକାରଙ୍କୁ କୁହାଯାଏ-ସର୍ବକାର। ବାସ୍ତବରେ ଆମ ପାଇଁ ଆମର ଦେଶ ବା ରାଷ୍ଟ୍ର ହେଉଛି ସର୍ବୋଚ୍ଚ ଓ ସର୍ବଶ୍ରେଷ୍ଠ। ଦେଶ ପରିଚାଳନା କରିବାକୁ ଆମେ ସରକାର ଗଠନ କରିଛେ। ତେଣୁ ସରକାର କଥା ଉଠିଲେ ସିନା ଆମେ ସରକାରଙ୍କ ସପକ୍ଷବାଦୀ କିମ୍ବା ନୁହେଁ, ସେ କଥା ଉଠୁଛି; ମାତ୍ର ଯଦି ଆମେ ଅନୁଭବ କରିବା ଯେ ୟେ ସବୁ ସମ୍ପତ୍ତି ଆମ ଦେଶର ଏପରି କି ଆମେ ସବୁ ମଧ୍ୟ ଦେଶର ସମ୍ପତ୍ତି, ତା’ହେଲେ ହୁଏତ ଆମର ଅବବୋଧରେ ସାମାନ୍ୟ ପରିବର୍ତ୍ତନ ହୋଇପାରନ୍ତା।
ସରକାର କହିଲେ ଆମର ଅନେକ ଲୋକ ନାକ ଟେକନ୍ତି; ମାତ୍ର ସରକାରୀ ଚାକିରି ତାଙ୍କ ପିଲା କିମ୍ବା ବନ୍ଧୁବାନ୍ଧବ ପାଇଲେ ଖୁସି ହୁଅନ୍ତି। ତା’ର କାରଣ ହେଲା ସରକାର ଯେହେତୁ ରାଷ୍ଟ୍ରର ଅନେକ କ୍ଷମତାକୁ ପ୍ରୟୋଗ କରନ୍ତି, କ୍ଷମତାପ୍ରାପ୍ତ ଅଧିକାରୀମାନେ ସେଇ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେହୁଅନ୍ତି। ସରକାରୀ କର୍ମଚାରୀମାନେ ଲୋକଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଇଚ୍ଛୁକ ହୁଅନ୍ତି ନାହିଁ। କ୍ଷମତା ଭାଗଭାଗ କରିବାକୁ କିଏ ବା ଚାହେଁ? ମାତ୍ର ଯେଉଁଦିନ ସରକାରୀ ବାବୁମାନେ ଅନୁଭବ କରନ୍ତେ ରାଜନୈତିକ ହସ୍ତକ୍ଷେପ ବୋଲି କହି ସେମାନେ ଯାହାକୁ ଡରୁଛନ୍ତି ଥରେ ଯଦି ମନ ଭିତରେ ଗ୍ରହଣ କରିଦେବେ ଯେ ରାଜନୈତିକ ସହଯୋଗ ମିଳିଲେ ସେମାନେ ଅଧିକ କାମ କରିପାରିବେ, ସେଦିନ ପରିସ୍ଥିତିର ପରିବର୍ତ୍ତନ ହୋଇପାରନ୍ତା। ସରକାରୀ ସମ୍ପତ୍ତି ଯତ୍ନ ନେବା ତ ଦୂରର କଥା ସେଗୁଡ଼ିକୁ କିପରି ହଡ଼ପ କରାଯାଇପାରିବ, କିପରି ଅଚଳ କରାଯାଇପାରିବ, କିପରି ସେଥିରୁ ବ୍ୟକ୍ତିଗତ ମୁନାଫା କମାଯାଇପାରିବ, ସେ ବିଷୟରେ ଅନେକେ ଆପଣଙ୍କୁ ଜ୍ଞାନ ଦେଇପାରିବେ। କେଉଁଠି ସରକାରୀ କଥା ନିରବଧି ଗୋଦାମର ସିମେଣ୍ଟ ବାବୁଙ୍କ ଅପାରଗତାରୁ ମୁଣ୍ଡା ହୋଇ ବ୍ୟବହାର ଅନୁପଯୋଗୀ ପାଲଟିଯାଏ, କେଉଁଠି ସରକାରୀ ନିର୍ମାଣ ପାଇଁ ରଖାଯାଇଥିବା ଦ୍ରବ୍ୟ ରାତିରେ ଉଭାନ ହୋଇଯାଏ ତା’ର କେତେ ନା କେତେ ଉଦାହରଣ ଆମ ପାଖରେ ଅଛି। ସେଇଥିପାଇଁ କାହିଁ କେତେ ଯୁଗରୁ ଲୋକେ କୁହାକୁହି ହୁଅନ୍ତି ‘ସରକାରକା ମାଲ ଦରିଆ ମେ ଡାଲ’। ହିନ୍ଦୀ ଭାଷାରେ କୁହାଯାଇଥିବା ଏଇ କଥାଟି ଆମର ସରକାରୀ ସମ୍ପତ୍ତି ପ୍ରତି ଅନାଗ୍ରହର ଅନେକ କାହାଣୀ ଅବତାରଣା କରେ। ସମୁଦ୍ରରେ ଯେମିତି କିଛି ଜିନିଷ ଫିଙ୍ଗିଦେଲେ କିଛି ଫରକ ପଡ଼େନି, କେତେ ନଦନଦୀ ସମୁଦ୍ରରେ ମିଶି ନିଜର ଅସ୍ତିତ୍ୱ ହରେଇ ଦିଅନ୍ତି। କେତେ ବିଶାଳ ଅନନ୍ତ ଏଇ ସାଗର, ତା’ ଭିତରେ କିଏ ବା ଲକ୍ଷ୍ୟ କରୁଛି କ’ଣ ହେଉଛି। ଏଠାରେ କିଛି ଭଲ ଜିନିଷର ଆଦର ନାହିଁ, ଖରାପ କଥା କିଏ ବା ପଚାରୁଛି?
ପ୍ରତି ଗ୍ରାମରେ ଅନେକ ସରକାରୀ ଜମି ରହିଛି। କେଉଁଠି ରାସ୍ତା ପାଇଁ ତ କେଉଁଠି ଚାରଣ ଭୂମି ପାଇଁ ଉଦ୍ଦିଷ୍ଟ, କେଉଁ ଜାଗାରେ ଭବିଷ୍ୟତ ଉନ୍ନୟନ ପାଇଁ ଜମି ସଂରକ୍ଷିତ ହୋଇଛି, କେଉଁଠି ପୁଣି ଗ୍ରାମ୍ୟ ଜଙ୍ଗଲ; ମାତ୍ର ଆଜି ଦିନରେ ସେଗୁଡ଼ିକର ଅବସ୍ଥା କେତେ ଶୋଚନୀୟ ଓ ଦୟନୀୟ ତାହା ଆପଣଙ୍କୁ ଜଣାଅଛି କି? ଜବରଦଖଲ ଏକ ସାଧାରଣ ପ୍ରକ୍ରିୟା ପାଲଟିଯାଇଛି। ଉଚ୍ଛେଦ ପ୍ରକ୍ରିୟା ଏତେ ବିଭ୍ରାନ୍ତିକାରୀ ଓ ସେ ଦାୟିତ୍ୱରେ ଥିବା ଅଫିସରମାନେ ଏତେ ବେଫିକର ନ କହିଲେ ଚଳେ। ଯଦିଓ ରାଜସ୍ବ ବିଭାଗର ଯେତେ ଦାୟିତ୍ୱ ଅଛି ତା’ର ସର୍ବାଗ୍ରେ ହେଲା ସରକାରୀ ଜମିର ସଂରକ୍ଷଣ। ସର୍ବସାଧାରଣ ଜମି ବହୁ ବର୍ଷ ଜବରଦଖଲ ହେଲା ପରେ ନ୍ୟାୟାଳୟମାନେ ମଧ୍ୟ ବେଳେବେଳେ ୩୦ ବର୍ଷରୁ ଅଧିକ ସମୟ ଧରି ଜବରଦଖଲ ହୋଇଥିଲେ ସେଥିରେ ସ୍ଥାୟୀ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଅନ୍ତି। ଏହିପରି ଏକ ପ୍ରାଚୀନ ନିୟମ ପାଇଁ ବହୁ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇ ନ ପାରି କୋର୍ଟ କଚେରିରେ ଝୁଲୁଛି।
କିଛି ବର୍ଷ ତଳେ ମୁଁ ଗୋଟିଏ ଜାତୀୟ ରାଜପଥରେ ଯାତ୍ରା କରୁଥିଲା ବେଳେ ଏକ ଅଦ୍ଭୁତ ମାଇଲ୍‌ଷ୍ଟୋନ୍‌ ମୋ ନଜରକୁ ଆସିଲା। ଯେଉଁଥିରେ ଲେଖାଥିଲା ଏଇଠୁ ଅମୁକ ଜିଲାଧୀଶଙ୍କ କ୍ଷମତା ପରିସର ଆରମ୍ଭ ହେଲା। ବଡ଼ ବିଚଳିତ ଲାଗିଲା ସେଇଟିକୁ ଦେଖି। ଯଦି ଆଧୁନିକ ଯୁଗର ସରକାରୀ ବାବୁମାନେ ନିଜକୁ ମଧ୍ୟଯୁଗୀୟ ଜମିଦାର ବୋଲି ଭାବିବେ ସେମାନଙ୍କୁ ସହଯୋଗ କରିବା ପାଇଁ ସାଧାରଣ ଲୋକ ବା ଗୋଷ୍ଠୀ ଆଗେଇ ଆସିବେ ବା କାହିଁକି? କେବଳ ଅଭିମାନ କଲେ ତ ଆମେ ଚଳିବ ନାହିଁ, ଲୋକମାନେ ବୁଝିବା ଦରକାର ଏଇ ସମ୍ପତ୍ତି ସରକାରୀ ସମ୍ପତ୍ତି କହିଲେ ଯଦି ତାହା ଆମ ଭିତରେ ନିଜସ୍ବ ଭାବ ସୃଷ୍ଟି କରୁନାହିଁ ଏହାକୁ ସର୍ବସାଧାରଣ ସମ୍ପତ୍ତିି ବା ଆମ ରାଜ୍ୟ କିମ୍ବା ରାଷ୍ଟ୍ରର ସମ୍ପତ୍ତି ବୋଲି ଭାବିବା। ଆଜିକାଲି କେଉଁଠି ପାଣି ପାଇପ୍‌ଟାଏ ଖୋଲାହୋଇ ପାଣି ବହିଯାଉଛି, ଆମେ ନିକର୍ତ୍ତବ୍ୟ ଭାବରେ ସେଇ ବାଟେ ଚାଲିଯାଉଛୁ, କେଉଁଠି ରାସ୍ତା ଉପରେ ଆବର୍ଜନା କୁଢ଼େଇ ଦେଉଛୁ ଅନାୟାସେ, ରାସ୍ତା କଡ଼ରେ ଆମେ ଘର କରିଛୁ ବୋଲି ସାହି ପିଲାଙ୍କୁ ମତେଇ ସେଇଠି ଦୁଇ ଦୁଇଟା ହିଡ଼ ଭଳି ରମ୍ବଲର ଗଢ଼ି ଦେଉଛୁ ରାତାରାତି। ୟେ ସବୁ ଯଦି ଚାଲୁ ରହେ ଆମେ ହିଁ ତା’ର ପରିଣତି ଭୋଗିବା। ଆଜି ନ ହେଲେ କାଲି। ସହରାଞ୍ଚଳରେ ଜମିର ଦର ଆକାଶଛୁଅଁା ହୋଇ ବଢୁଛି। କିଛି ଲୋକ କୌଶଳରେ ସରକାରୀ ଜମିକୁ କବ୍‌ଜା କରି ସେଥିରେ ଘର ତିଆରି କରି ଭଡ଼ା ଦେଇଛନ୍ତି ବସ୍ତିବାସିନ୍ଦାକୁ। ଅନେକେ ନିଜ ଜମିର ଯେତିକି ଅଞ୍ଚଳ ଘର ତିଆରି ପାଇଁ ପ୍ରାଧିକୃତ ତା’ଠାରୁ ବେଶି ଜମି ଆବୋରି ପକାନ୍ତି, ଆଉ ସମୟକ୍ରମେ ଆମର ଉନ୍ନୟନ କର୍ତ୍ତୃପକ୍ଷ ତାକୁ ବୈଧ କରିଦିଅନ୍ତି କିଛି ଜରିମାନାର ଲୋକଦେଖାଣିଆ ବେଭାରରେ। ବେଆଇନ ନିର୍ମାଣକୁ ପରବର୍ତ୍ତୀ ସମୟରେ ବୈଧୀକରଣ ଏକ ଅତ୍ୟନ୍ତ ବିପଜ୍ଜନକ ପ୍ରକ୍ରିୟା। ଏହା ବେଆଇନ ନିର୍ମାଣ କରୁଥିବା ଲୋକଙ୍କୁ ଦୁଃସାହସୀ କରେ। ସେମାନେ ଆଇନକୁ ପରବାୟ ନ କରି ପରବର୍ତ୍ତୀ ‘ସର୍ବକ୍ଷମା’ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ସଫଳ ବି ହୁଅନ୍ତି। ଏହା କେତେ ନିନ୍ଦନୀୟ ଭାବନ୍ତୁ। ଆମର ଅନେକ ପ୍ରାକୃତିକ ସମ୍ପଦ ଯେପରି ବନ ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ ଠିକ୍‌ ଭାବରେ ପରିଚାଳନା କରାଯାଉନାହିଁ। ଏଗୁଡ଼ିକ ସବୁଦିନ ଆମ ପାଇଁ ଉପଲବ୍ଧ ହେବ ତା’ର କିଛି ଗ୍ୟାରେଣ୍ଟି ନାହିଁ। ଆଜିଠୁ ସାଧୁ ସାବଧାନ। ନ ହେଲେ ନେଡ଼ିଗୁଡ଼ କହୁଣିକୁ ବହିଗଲେ ଆଉ କିଛି କରିବା ସମ୍ଭବ ହେବନି।
ମୋ: ୯୪୩୮୪୮୨୯୧୧