କଲମ୍ବୋ,୨୦।୫: ଶ୍ରୀଲଙ୍କାରେ ତୈଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ ଶୁକ୍ରବାର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସରକାରୀ କର୍ମଚାରୀମାନେ ଅଫିସ ନ ଆସିବା ଲାଗି କୁହାଯାଇଛି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନେ ଘରେ ରହିବାକୁ ଜନପ୍ରଶାସନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଶ୍ରୀଲଙ୍କାରେ ପେଟ୍ରୋଲ ଏକପ୍ରକାର ଶେଷ ହୋଇଯାଇଥିବା ବେଳେ ଅନ୍ୟାନ୍ୟ ଇନ୍ଧନର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଦ୍ୱୀପ ଦେଶ ନିକଟରେ ତେଲ କିଣିବା ପାଇଁ ଅର୍ଥ ନାହିଁ। ଆର୍ଥିକ ସଙ୍କଟକୁ ନେଇ ସରକାର ଜନଆକ୍ରୋଶର ଶିକାର ହୋଇଛନ୍ତି। ଶାସକ ଓ ବିରୋଧୀ ଦଳକୁ ନେଇ ମିଳିତ ସରକାର ଗଠନ ହୋଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୁକ୍ରବାର ଆଉ ୯ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ସେମାନଙ୍କୁ ମିଶାଇ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।