Categories: ଜାତୀୟ

ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନରୁ ଭାରତ ଫେରିଥିବା ଭାରତୀୟ

ନୂଆଦିଲ୍ଲୀ,୨୮ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ଧିରେ ଧିରେ ଉଦ୍ଧାର କରି ଚାଲିଛନ୍ତି । ସୋମବାର ସକାଳୁ ରୋମାନିଆର ବୁଚାରେଷ୍ଟରେ ଥିବା ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଏଥିରେ ୟୁକ୍ରେନରେ ଫସି ରହିଥିବା ୨୪୯ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନାଯୋଗ୍ୟ, ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଉଛି । ଯେଉଁ ଭାରତୀୟମାନେ ସୀମାପାର ହୋଇ ୟୁକ୍ରେନର ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି ପ୍ରଥମେ ସେହିମାନଙ୍କୁ ଉଦ୍ଧାର କରାଯାଉଛି । ଏପର୍ଯ୍ୟନ୍ତ ପାଖାପାଖି ୨୦୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଉଛି ।

ୟୁକ୍ରେନରୁ ସୁରକ୍ଷିତ ଭାବେ ଭାରତ ପହଞ୍ଚିଥିବା ଲୋକେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାର ଆମକୁ ଖୁବ୍ ସାହାଯ୍ୟ କରିଛନ୍ତି, ଭାରତୀୟ ରାଷ୍ଟ୍ରଦୂତ ଆମ ସହ ନିରନ୍ତର ସମ୍ପର୍କରେ ରହିଥିବା ବେଳେ ଆମେ ସୁରକ୍ଷିତ ସ୍ୱଦେଶ ଫେରି ଆସିଛୁ । ଅନ୍ୟ ସାଥିମାନେ ବି ସୁରକ୍ଷିତ ଫେରି ଆସନ୍ତୁ ବୋଲି ଏମାନେ ଇଚ୍ଛା ପ୍ରକାଶ କରିଛନ୍ତି ।

Share