Categories: ଜାତୀୟ

ଅଦରକାରୀ କାଗଜ ବିକିି ୪୦ କୋଟି ରାଜସ୍ବ ପାଇଛନ୍ତି ସରକାର…

ନୂଆଦିଲ୍ଲୀ,୨।୧୧: କେନ୍ଦ୍ର ସରକାର ଅଦରକାରୀ କାଗଜ ବିକି ୪୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛନ୍ତି। ଏନେଇ କେନ୍ଦ୍ରୀୟମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏହାଦ୍ୱାରା ଅଦରକାରୀ କାଗଜ ଜମି ରହିଥିବା ୮ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି। ଅକ୍ଟୋବର ୨ରୁ ଦେଶବ୍ୟାପୀ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ ଆରମ୍ଭ କରାଯାଇଥିଲା। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିଥିଲା।

ବିଭିନ୍ନ କାର୍ଯ୍ୟାଳୟରେ ଥିବା ୧୫ ଲକ୍ଷ ୨୩ ହଜାର ୪୬୪ ଫାଇଲ୍‌କୁ ଯାଞ୍ଚ୍‌ କରାଯାଇଥିଲା। ସେଥିମଧ୍ୟରେ ୧୩ ଲକ୍ଷ ୭୩ ହଜାର ୨୦୪ ଫାଇଲକୁ ଉପଯୋଗୀ ବୋଲି ଆକଳନ କରାଯାଇଥିଲା। ଅବଶିଷ୍ଟ ଫାଇଲ୍‌ଗୁଡ଼ିକୁ ବିକ୍ରି କରାଯାଇଥିଲା।

ଏହି ସମୟରେ ୩ ଲକ୍ଷ ୨୮ ହଜାର ୨୩୪ ମାମଲାର ଜନଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୨ ଲକ୍ଷ ୯୧ ହଜାର ୬୯୨ ମାମଲାର ସମାଧାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଏହି ସମୟ ମଧ୍ୟରେ ୮୩୪ ସରକାରୀ ଆଇନର ସମୀକ୍ଷା କରାଯାଇ ସେଥିମଧ୍ୟରୁ ୬୮୫ର ସରଳୀକରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଅନୁସାରେ ଏସବୁର ସରଳୀକରଣ କରାଯାଇଥିବା ଜିତେନ୍ଦ୍ର ସିଂ କହିଛନ୍ତି।

ଏମ୍‌ପିମାନଙ୍କ ଦ୍ୱାରା ସୂଚିତ ହୋଇଥିବା ୧୧ ହଜାର ୫୭ ମାମଲାର ମଧ୍ୟରୁ ୮ ହଜାର ୨୮୨ର ସମାଧାନ କରାଯାଇଥିଲା।

କାର୍ମିକ ମନ୍ତ୍ରଣାଳୟ ଅନୁସାରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହେବା ପରେ ପ୍ରଶାସନିକ ସୁଧାର ଲାଗି ଲୋକ ଅଭିଯୋଗ ବିଭାଗକୁ ନୋଡ଼ାଲ ଭାବେ ଉପସ୍ଥାପନ କରାଯାଇ ଅଭିଯାନ ଆରମ୍ଭ କରାଯାଇଥିଳା।

 

Share