Categories: ଜାତୀୟ

ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି

ନୂଆଦିଲ୍ଲୀ,୧।୧୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍‌ ମିଡିଆକୁ ମିଳିଛି। ଆର୍‌ଟିଆଇ ଆବେଦନର ଉତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି। ମୁମ୍ବାଇର ଆର୍‌ଟିଆଇ କର୍ମୀ ଜତିନ ଦେଶାଇ ଏଥିପାଇଁ ଆବେଦନ କରିଥିଲେ। ଇଲେକ୍ଟ୍ରୋନିକ ଓ ଛାପା ଗଣମାଧ୍ୟମ ସମେତ ଆଉଟଡୋର ମିଡିଆ ପ୍ରଚାରରେ ମୋଟ ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍‌ ଆଉଟରିଚ୍‌ ଆଣ୍ଡ କମ୍ୟୁନିକେଶନ (ବିଓଆର୍‌) ପକ୍ଷରୁ ଉତ୍ତର ଦିଆଯାଇଛି। ସେଥିରୁ ଇଲେକ୍ଟ୍ରୋନିକ ମିଡିଆକୁ ୩୧୭.୦୫ କୋଟି ଟଙ୍କା ଯାଇଥିବାବେଳେ ଛାପା ଗଣମାଧ୍ୟମକୁ ୨୯୫.୦୫ କୋଟି ଏବଂ ଆଉଟଡୋର ମିଡିଆକୁ ୧୦୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share