ଭୁବନେଶ୍ୱର,୧୬।୪(ବ୍ୟୁରୋ): ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତୀକରଣ ଏବଂ ସେମାନଙ୍କ ପରମ୍ପରାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ବଜେଟରେ ୪ଗୁଣା ବୃଦ୍ଧି କରିଛନ୍ତି। ସେହିପରି ଜନଜାତି ଛାତ୍ରବୃତ୍ତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ ବଢ଼ାଇଛନ୍ତି। ଦେଶର ୧୧୭ଟି ଜିଲାର ବିକାଶକୁ ତ୍ୱରାନ୍ବିତ ଲାଗି ପାଇଁ ସରକାର ଆକାଂକ୍ଷୀ ଜିଲା ଭାବେ ହାତକୁ ନେଇଛନ୍ତି। କିନ୍ତୁ ରାଜ୍ୟର ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଯୋଗାଇବାରେ ବିଫଳ ବିଜେଡି ସରକାର ତାଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ଶୁକ୍ରବାର ଭାଜପା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।