‘ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି ସରକାର’

ଭୁବନେଶ୍ୱର, ୧୮ା୮(ବ୍ୟୁରୋ):ରାଜ୍ୟ ସରକାର ଜାଣିଶୁଣି ପଛୁଆବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୁରଥ କହିଛନ୍ତି, ନିକଟରେ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନଙ୍କ ତରଫରୁ ବିଭିନ୍ନ ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଥିବା ଘୋଷଣା କରୁଥିବା ବେଳେ ବାସ୍ତବରେ ତାହା ୪ ପ୍ରତିଶତରୁ କମ୍‌। ନିଯୁକ୍ତି ପାଇଁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଦି ବିଭାଗରେ ସମୁଦାୟ ୭୬୩୩ ପଦବୀ ମଧ୍ୟରୁ ମାତ୍ର ୨୮୮ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଉଲ୍ଲେଖ ରହିଛି; ଯାହାକି କେବଳ ୩.୭୭ ପ୍ରତିଶତ। ଏଥିରୁ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର ପଦାରେ ପଡିଛି । ରାଜ୍ୟ ସରକାର ପଛୁଆବର୍ଗ କମିଶନ ଗଠନ କରିଥିଲେ। ଉକ୍ତ କମିଶନଙ୍କ କଲ୍ୟାଣ ପାଇଁ କ’ଣ ସୁପାରିସ କରିଛନ୍ତି ଏବଂ ରାଜ୍ୟ ସରକାର ସେହି ସବୁ ସୁପାରିସକୁ କେତେଦୂର କାର୍ଯ୍ୟକାରୀ କରିଛନ୍ତି ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ସୁରଥ କହିଛନ୍ତି।

Share