‘ମନ୍ତ୍ରୀଙ୍କ ମୃତଦେହ ଧରି ସରକାର ଡ୍ରାମା କରୁଛନ୍ତି’

ସମ୍ବଲପୁର,୧।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ରବିବାର ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଖବର ରହିଛି ଏବଂ ସବୁ ଆଡେ ଚର୍ଚ୍ଚା ମଧ୍ୟ ହେଉଛି। ଗୁଳିକାଣ୍ଡ ପରେ ମନ୍ତ୍ରୀ ଦାସଙ୍କୁ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କୌଣସି ସୂଚନା ଦେଇ ନ ଥିଲେ। ଯଦି ଗୁରୁତର ଥିଲେ, ତାଙ୍କୁ ସ୍ଥାନାନ୍ତର କରିବା ସ୍ଥିତିରେ ଥିଲା କି ନାହିଁ। ଡାକ୍ତର ସ୍ଥାନାନ୍ତର କରିବା ନେଇ ଲେଖିଥିଲେ କି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ଦାସଙ୍କ ମୃତ ଶରୀରକୁ ଧରି ରାଜ୍ୟ ସରକାର ଦିନତମାମ ଡ୍ରାମା କରିଥିଲେ। ପରିବାର ଓ ରାଜ୍ୟବାସୀଙ୍କୁ ଭୁଅଁା ବୁଲାଇଥିଲେ। ହତ୍ୟାକାରୀ ଗୋପାଳ କୃଷ୍ଣ ଦାସଙ୍କୁ ପାଗଳ ବୋଲି ପ୍ରମାଣ କରିବାକୁ ସବୁ ଉଦ୍ୟମ କରାଯାଉଛି। ଯଦି ପାଗଳ ତା’ହେଲେ କେଉଁ ଆଧାରରେ ତାଙ୍କର ପଦୋନ୍ନତି ହୋଇଥିଲା। ଗୋଟିଏ ଜିଲାରେ ଏତେବର୍ଷ ଧରି ତାଙ୍କୁ ନିୟୋଜିତ କରାଯାଇଥିଲା ଓ ଘଟଣାର ୨ଦିନ ପୂର୍ବରୁ ବନ୍ଧୁକ ଦିଆଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ପୋଲିସ କର୍ମଚାରୀଙ୍କ ଦ୍ୱାରା ଷଡ଼ଯନ୍ତ୍ର କରାଯାଇ ମନ୍ତ୍ରୀ ଦାସଙ୍କୁ ହତ୍ୟା କରାଯାଇଛି। ଏଥିରେ ବଡ଼ବଡ଼ିଆଙ୍କ ହାତ ରହିଛି। ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଛି। ହେଲେ ପୋଲିସ ହାଲୁକା ଭାବେ ନେଇ ଘଟଣାର ତଦନ୍ତ କରୁଛି। ରାଜ୍ୟ ସରକାର ହାଇକୋର୍ଟ ଜଜ୍‌ ତଦାରଖ କରିବାକୁ ଅନୁରୋଧ କରିଛନ୍ତି। ସରକାରଙ୍କ ପୋଲିସ ତଦନ୍ତ କରିବ ଏବଂ ହାଇକୋର୍ଟ ତଦାରଖ କରିବେ। ଏହା ଦ୍ୱାରା ସତ୍ୟାସତ୍ୟ ଜଣାପଡିବ ନାହିଁ। ଗୁଳି କରିବା ପରେ ହଠାତ୍‌ ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗୀ ଥିଲେ, ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଥିଲେ ବୋଲି ପ୍ରଚାର କରାଯାଇଛି। ଏହା ନିଶ୍ଚିତ ଭାବେ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଏହାର ସିବିଆଇ ତଦନ୍ତ କରା ନ ଗଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିବ ନାହିଁ।

Share