Categories: ଜାତୀୟ

ସଂସଦରେ କହିବାକୁ ସୁଯୋଗ ଦେଉ ନାହାନ୍ତି ସରକାର, ମୋଦି ମଣିପୁର ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଅମଙ୍ଗ: ଖାର୍ଗେ…

ନୂଆଦିଲ୍ଲୀ,୧।୮ : ମଣିପୁର ପ୍ରସଙ୍ଗ ନେଇ ସଂସଦର ମେସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦେବା ନେଇ ବିରୋଧୀ ଅଟଳ ଅଛନ୍ତି। ଉତ୍ତେଜନା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ ରଖାଯାଉଛି। ଏଥି ସହ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ସରକାର ଆମକୁ ସଂସଦରେ କହିବାକୁ ଅନୁମତି ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି କିନ୍ତୁ ସେ ଆମକୁ ମଣିପୁର ହିଂସା ନେଇ ଉତ୍ତର ଦେଉ ନାହାଁନ୍ତି।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖାର୍ଗେ କହିଛନ୍ତି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତ୍ତି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ସେ ସଂସଦରେ କଥା ହେଉନାହାଁନ୍ତି। ସେମାନେ ଏକ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ ଗତ ୧୧ ଦିନ ଧରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅପେକ୍ଷା କରିଛୁ।

ପ୍ରଧାନମନ୍ତ୍ରୀ ନିର୍ବାଚନ ହେଉଥିବା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଛନ୍ତି। ବିଦେଶ ଯାଉଛନ୍ତି। ଏଥି ପାଇଁ ତାଙ୍କର ସମୟ ଅଛି। କିନ୍ତୁ ଦୀର୍ଘ ଦିନ ଧରି ଜାତିଆଣ ନିଆଁରେ ଜଳୁଥିବା ମଣିପୁର ଭଳି ରାଜ୍ୟ ସମ୍ପର୍କରେ ପଦେ କହିବାକୁ ତାଙ୍କ ପାଖରେ ସମୟ ନାହିଁ। ଏହା ଅତ୍ୟନ୍ତ ଲଜ୍ଜା ଜନକ ବୋଲି ଖାର୍ଗେ କହିଛନ୍ତି।

Share