Categories: ଜାତୀୟ

ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର…

ନୂଆଦିଲ୍ଲୀ,୫।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଜାରି ରହିଛି। ବିରୋଧୀ ସଦସ୍ୟଙ୍କ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରାଯାଉଛି। ଏପରିସ୍ଥଳେ ଭାରତୀୟ ଜନତା ଦଳର ମୁଖପାତ୍ର ରବି ଶଙ୍କର ପ୍ରସାଦ ବିରୋଧୀଙ୍କ ଏଭଳି ମନୋଭାବକୁ ଟାର୍ଗେଟ କରିଛନ୍ତି। ରବି ଶଙ୍କର ପ୍ରସାଦ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସର ଏପରି ଆଚରଣ ସମ୍ପୂର୍ଣ୍ଣ ଭାବେ ଦାୟିତ୍ୱହୀନତାର ପରିଚୟ ଦେଉଛି। ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିସହ ରବି ଶଙ୍କର ପ୍ରସାଦ ବିରୋଧୀଙ୍କୁ ପଚାରିଛନ୍ତି କି ବିରୋଧୀ ଦଳ ଗୁଡ଼ିକ ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି କି? । କଂଗ୍ରେସ ଏବଂ ବିରୋଧୀ ଦଳ ଆଲୋଚନା କରିବାକୁ ଚାହୁଁ ନଥିବା ସେ ଅଭିଯୋଗ କରିଛନ୍ତି। ସେମାନେ କେବଳ କାଦୁଅ ଫିଙ୍ଗିବା ସହିତ ଗୃହରେ ହଙ୍ଗାମା ସୃଷ୍ଟି କରୁଛନ୍ତି। ୧୯୪୭ ପରଠାରୁ କଂଗ୍ରେସ ପ୍ରାୟ ୫୦ ବର୍ଷ ଶାସନ କରିଥିଲା। କିନ୍ତୁ ଦଳର ଆଚରଣ ସମ୍ପର୍କରେ ଦେଶର ଜନସାଧାରଣ ଜାଣିବା ଆବଶ୍ୟକ। କଂଗ୍ରେସ ଦଳ ଜାଣିଶୁଣି ପେଗାସସ ସ୍ପାଏୱେୟାର ମାଧ୍ୟମରେ ସରକାରଙ୍କ ଉପରେ ଗୁପ୍ତଚର ଅଭିଯୋଗ ଆଣିଥିବା ରବି ଶଙ୍କର ପ୍ରସାଦ କହିଛନ୍ତି।

Share