Categories: ଜାତୀୟ

କରୋନା ବାହାନାରେ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାରଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ବାହାନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା କମାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ନ୍ୟୁନତମ ଶାସନ ଅଧିକତମ ଘରୋଇକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସରକାରୀ କାର୍ଯ୍ୟାଳୟକୁ ସ୍ଥାୟୀ କର୍ମଚାରୀ ମୁକ୍ତ କରାଇବା ଷଡ଼ଯନ୍ତ୍ର ମୋଦି ସରକାର କରିଛନ୍ତି। ଦେଶର ଯୁବକଙ୍କ ଭବିଷ୍ୟତ ଲୁଟି ନେବା କାର୍ଯ୍ୟ ମୋଦି ସରକାର କରୁଛନ୍ତି। କେବଳ ନିଜର ସହଯୋଗୀଙ୍କ ଭବିଷ୍ୟତ ସରସ ସୁନ୍ଦର କରିବା ଲାଗି ମୋଦି ସରକାର ଉଦ୍ୟମ ଅବ୍ୟାହତ ରଖିଥିବା କହି ରାହୁଲ କଟାକ୍ଷ କରିଛନ୍ତି। ମହାମାରୀ ଆଳରେ ସରକାର ସରକାରୀ ନିଯୁକ୍ତି ଉପରେ ରୋକ ଜାରି କରିଛନ୍ତି। ଏବେ ରାହୁଲଙ୍କ ମନ୍ତବ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share