୮୦ ଟଙ୍କାରେ ଟମାଟୋ ବିକ୍ରି କରୁଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭ : ତୁରନ୍ତ ପ୍ରଭାବ ସହିତ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆରରେ ଟମାଟୋର ଦାମକୁ କିଲୋଗ୍ରାମ ପିଛା ୮୦ ଟଙ୍କାକୁ ହ୍ରାସ କରିଛନ୍ତି। ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି।
ପ୍ରବଳ ମୌସୁମୀ ବର୍ଷା ଏବଂ ଯୋଗାଣରେ ଅସୁବିଧା କାରଣରୁ ଦେଶର ପ୍ରମୁଖ ସହରଗୁଡିକର ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ୨୫୦ ଟଙ୍କା ଛୁଇଁଥିଲା। ସରକାରୀ ତଥ୍ୟ ଅନୁଯାୟୀ ଟମାଟୋର ଭାରତର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୧୭ ଟଙ୍କା ଥିଲା।
ଖୁଚୁରା ଗ୍ରାହକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ-ଏନସିଆର, ପାଟନା ଏବଂ ଲକ୍ଷ୍ନୌ ଭଳି କେତେକ ସହରରେ କିଲୋଗ୍ରାମ ପିଛା ୯୦ ଟଙ୍କା ଦାମରେ ଟମାଟୋ ବିକ୍ରି କରୁଥିଲେ। ଯାହା ବର୍ତ୍ତମାନ ୧୦ ଟଙ୍କା ହ୍ରାସ ପାଇ ୮୦ ଟଙ୍କା ହୋଇଛି।
ନ୍ୟାଶନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେଶନ ଅଫ ଇଣ୍ଡିଆ (ଏନସିସିଏଫ) ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ (ନାଫେଡ) କେନ୍ଦ୍ର ତରଫରୁ ମୋବାଇଲ ଭ୍ୟାନ ମାଧ୍ୟମରେ ଏହି ଟମାଟୋ ବିକ୍ରି କରାଯାଉଛି।

Share