ପୁରୀ ଅଫିସ, ୧୯।୫: ଜଗନ୍ନାଥ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାର୍ଶ୍ୱର ୭୫ ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ ଆଦକୁ ଅଧିଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ପୁନର୍ବାସ ଓ ଥଇଥାନ ପ୍ୟାକେଜ ଅନୁଯାୟୀ ବିସ୍ଥାପିତ ହେଉଥିବା ମଠଗୁଡିକର ଥଇଥାନ ଲାଗି ଉଦ୍ଧିଷ୍ଟ ୧.୩୨୦ ଡିସିମିଲ ସରକାରୀ ଜମି ବିନାଦେୟରେ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିସହ ଉକ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ୧୩ ମଠ ଗୁଡିକ ନାମରେ ପଞ୍ଜୀକରଣ କରିବା ଲାଗି ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେଶନ ଫି ମଧ୍ୟ ଛାଡ଼ ଲାଗି ନିଷ୍ପତ୍ତି ହୋଇଛି।