ଜବରଦଖଲକାରୀଙ୍କ କବ୍‌ଜାରେ ସରକାରୀ ଜମି

ଗୋପାଳପୁର,୨୮ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କନିଷି ହାଟସ୍ଥିତ ତୁଳୁ ରୋଡ୍‌ରେ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କୁ କନିଷି ତହସିଲ ପକ୍ଷରୁ ଉଚ୍ଛେଦ ନେଇ ନୋଟିସ ଜାରି କରାଯାଇଛି। କନିଷି ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲକାରୀମାନେ ନିଜ ଅକ୍ତିଆରରେ ରଖି ବ୍ୟବସାୟ ପ୍ରତିଷ୍ଠାନ ଓ ବାସଗୃହ ନିର୍ମାଣ କରିଛନ୍ତି। ଫଳରେ ସରକାରୀ ଜମି ଦିନକୁ ଦିନ ହଡପ ହେବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କନିଷି ତହସିଲ କାର୍ଯ୍ୟାଳୟ ନୂତନ କୋଠା ପାଇଁ ଜାଗା ନ ଥିବା ବିଷୟ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି। ନୂତନ ତହସିଲଦାର ଭାବେ ପ୍ରଳୟାନନ୍ଦ ଶତପଥୀଙ୍କ ଯୋଗଦାନ ପରେ କନିଷି ହାଟ ତୁଳୁ ରାସ୍ତା ପାର୍ଶ୍ୱରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରିଛନ୍ତି। ଉକ୍ତ ଜାଗାକୁ ରାଜନୈତିକ ବ୍ୟକ୍ତିବିଶେଷ ଓ ବ୍ୟବସାୟୀ ଜବରଦଖଲରେ ରଖିଥିବା ଯୋଗୁ ଉଚ୍ଛେଦ ପ୍ରକ୍ରିୟା ହେବ କି ନାହିଁ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ଜବରଦଖଲ ଉଚ୍ଛେଦ କିଭଳି ନ ହେବ ସେଥିପ୍ରତି ଉଦ୍ୟମ ଜାରି ରଖିଛନ୍ତି କିଛି ରାଜନୈତିକ ବ୍ୟକ୍ତି। କନିଷି ହାଟ ଛକ ଜନଗହଳିପୂର୍ଣ୍ଣ ହୋଇଥିବାରୁ ଆଖପାଖ ପ୍ରାୟ ୨୦ଟି ଗ୍ରାମ ବାସିନ୍ଦା ନିର୍ଭର କରିଥାନ୍ତି। ଏହି ସ୍ଥାନରେ ବ୍ଲକ, ତହସିଲ ଓ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଛି। ଏଥିସହ ଆଇଜରକୁ ଯିବା ପାଇଁ ମୁଖ୍ୟରାସ୍ତା ହୋଇଛି। ଏନେଇ ତହସିଲଦାର ଶତପଥୀଙ୍କ ସହ ଯୋଗାଯୋଗ ବେଳେ ଜବରଦଖଲ ଉଚ୍ଛେଦ ନେଇ ନୋଟିସ ଜାରି କରାଯାଇଛି। ଏଥିପାଇଁ ଏକ ମାସ ସମୟ ଦିଆଯାଇଛି। ଉକ୍ତ ଜାଗାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଇଛି। ଖୁବ୍‌ଶୀଘ୍ର ଏହାକୁ ଜବରଦଖଲ ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ ସମୟରେ ଉକ୍ତ ଜାଗାରେ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଫସର ଫାଟିଯାଇଥିଲା।