ପୂର୍ବତନ ମନ୍ତ୍ରୀଙ୍କ ଜବରଦଖଲରେ ସରକାରୀ ଜମି

ବାଲେଶ୍ୱର ଅଫିସ, ୨୩।୧୦: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଜବରଦଖଲରେ ରହିଛି ବାଲେଶ୍ୱର ଜିଲା ସଦର ତହସିଲ ଅଧୀନସ୍ଥ ପଢୁଆଁପଦା ଅଞ୍ଚଳର ଅନାବାଦୀ କିସମ ଜମି। ଏହାକୁ ବିରୋଧ କରି ସହରର କେତେଜଣ ବୁଦ୍ଧିଜୀବୀ ଜିଲାପାଳଙ୍କଠାରେ ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ଉକ୍ତ ସରକାରୀ ଜମିକୁ ତୁରନ୍ତ ଉଚ୍ଛେଦ କରିବାକୁ ସଦର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସଦର ତହସିଲ ଅଧୀନ ପଢୁଆଁପଦା ମୌଜା ଖାତା (ନଂ. ୩୮୭) ର ପ୍ଲଟ୍‌ ନଂ. ୪୫୭।୯୯୧ (ଏ୦.୦୪୬ଡିସିମିଲ) ଓ ପ୍ଲଟ୍‌ ନଂ. ୪୫୭।୯୫୪ (ଏ୦.୦୬୪ଡିସିମିଲ) ସରକାରଙ୍କ ଖାତା ଅନାବାଦୀ ଜମିକୁ ପୂର୍ବତନ ମନ୍ତ୍ରୀ ଅନନ୍ତ ଚଞ୍ଚକତା କରି ନିଜ ନାମରେ ନକଲି ପଟ୍ଟା ପ୍ରସ୍ତୁତ କରିଥିବା ନେଇ ଅଭିଯୋଗ ହୋଇଥିଲା। ହାଇକୋର୍ଟରେ ଚଳିତମାସ ୧୧ ତାରିଖରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିଲା। ହାଇକୋର୍ଟର ସିଙ୍ଗଲ ବେଞ୍ଚରେ ଜଷ୍ଟିସ୍‌ କେ. ଆର୍‌. ମହାପାତ୍ର ଏହାକୁ ବିଚାର କରି ଗତ ୧୮ ତାରିଖରେ ଏହାର ରାୟ ଶୁଣାଇଛନ୍ତି। ଏହି ରାୟରେ ସଦର ତହସିଲଦାରଙ୍କୁ ଉକ୍ତ ଦୁଇ ପ୍ଲଟ୍‌କୁ ଉଚ୍ଛେଦ କରି ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଅନନ୍ତ ବାଲେଶ୍ୱର ଜିଲା ସଦର ତହସିଲଦାର, ବିଡିଓ ଏବଂ ପୌରାଞ୍ଚଳ ଅଧିକାରୀ ଥିବାବେଳେ ଏଭଳି ଚଞ୍ଚକତା କରି ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଜମିକୁ ହାତେଇଥିବା ନେଇ ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି।