ନୂଆଦିଲ୍ଲୀ,୨୧।୯: ଭାରତ ସରକାର ଏୟାର ମାର୍ଶଲ ଭି.ଆର୍. ଚୌଧୁରୀଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍ ମାର୍ଶଲ ଆର୍.କେ. ଏସ୍. ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେଉଛନ୍ତି। ଏଣୁ ତାଙ୍କ ସ୍ଥାନରେ ଚୌଧୁରୀ ଅକ୍ଟୋବର ପହିଲାରୁ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ।
ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ଚଳିତ ବର୍ଷ ଜୁନରେ ଏୟାର ମାର୍ଶଲ ହରଜିତ ସିଂ ଆରୋରାଙ୍କ ସ୍ଥାନରେ ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଭାବରେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ଆଇଏଏଫ୍ ର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)ର କମାଣ୍ଡର-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ।
୩୮ ବର୍ଷର ତାଙ୍କ କ୍ୟାରିୟରରେ ଚୌଧୁରୀବିଭିନ୍ନ ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି। ମିଗ୍ -୨୧, ମିଗ -୨୩ ଏମଏଫ, ମିଗ ୨୯ ଏବଂ ସୁଖୋଇ -୩୦ ଏମ୍କେଆଇ ଯୁଦ୍ଧ ବିମାନରେ କାର୍ଯ୍ୟକ୍ଷମ ଫ୍ଲାଇଙ୍ଗ ସହିତ ତାଙ୍କର ୩୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଅଛି। ଏୟାର ମାର୍ଶଲ ଚୌଧୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।