ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ: ଜାତିସଂଘ

ଜେନେଭା, ୨୭।୧: କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ପ୍ରଦର୍ଶନ ସମୟରେ ଘଟିଥିବା ହଂସାକାଣ୍ଡ ନେଇ ଜାତିସଂଘ ମୁହଁ ଖୋଲିଛି। ଜାତିସଂଘର ମହାସଚିବଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ଭାରତ ସରକାର ଅହିଂସା ପ୍ରଦର୍ଶନ ଅଧିକାରକୁ ସମ୍ମାନ ଦେବା ଆବଶ୍ୟକ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ଏବଂ ଏକାଠି ଜମା ହେବାର ସ୍ବତନ୍ତ୍ରତାକୁ ଭାରତ ସରକାର ଗୁରୁତ୍ୱ ଦେବା ସହିତ ଏହାର କ୍ଷୁର୍ଣ୍ଣ ହେବା ଭଳି କାର୍ଯ୍ୟ ନ କରିବା ଉଚିତ ବୋଲି ସେ କହିଛନ୍ତି। ଦେଶର ନାଗରିକଙ୍କର ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାର ଅଧିକାର ରହିଛି। ଏହାକୁ ସରକାରଙ୍କ ସହିତ ଅଧିକାରୀମାନେ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ଦୁଜାରିକ କହିଛନ୍ତି। ତେବେ ଏଭଳି ଟିପ୍ପଣୀକୁ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ଅନୁଚିତ ବୋଲି କହିଛନ୍ତି। ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ମାମଲା ସହିତ ଏହା ଜଡ଼ିତ। ଏଥିରେ କେହି ହସ୍ତକ୍ଷେପ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Share