Categories: ଜାତୀୟ

ସରକାରୀ ବାବୁ-ମନ୍ତ୍ରୀ ବ୍ୟବହାର କରିପାରିବେ ଦାମିକା ମୋବାଇଲ,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ରାଞ୍ଚି,୨।୯: ଏବେ ସରକାରୀ ବାବୁ ଏବଂ ମନ୍ତ୍ରୀମାନେ ଦାମିକା ମୋବାଇଲ ବ୍ୟବହାର କରିପାରିବେ। ଏନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ସୀମା ଧାର୍ଯ୍ୟ କରାଯାଇଛି। ମନ୍ତ୍ରୀ ଏବଂ ସରକାରୀ ବାବୁମାନେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମିକା ମୋବାଇଲ୍‌ କିଣିବା ସହିତ ଏଥିରେ ସର୍ବାଧିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ।

୯ ମାସ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଏବଂ ସରକାରୀ ବାବୁମାନେ ସର୍ବାଧିକ ୧୦ ହଜାର ଟଙ୍କାର ପର୍ଯ୍ୟନ୍ତ ଦାମ ଥିବା ମୋବାଇଲ୍‌ ଫୋନ୍‌ ବ୍ୟବହାର କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା। କ୍ୟାବିନେଟ ଏହି ପ୍ରାବକୁ ମଞ୍ଜୁରୀ ଦେବା ପରେ ରାଜ୍ୟ ଅର୍ଥମନ୍ତ୍ରଣାଳୟ ଏନେଇ ଅଧିସୂଚନା ଜାରି କରିଥିଲେ।

ନୂଆ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବସ୍ତରୀୟ ଅଧିକାରୀ ୩୫ ହଜାର ଟଙ୍କା ଦାମର ମୋବାଇଲ ବ୍ୟବହାର କରିପାରିବେ। ବରିଷ୍ଠ ସଚିବଙ୍କଠାରୁ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକମାନେ ୩୦ ହଜାର ଟଙ୍କାର ମୋବାଇଲ୍‌ ବ୍ୟବହାର କରିପାରିବେ। ଉପ ସଚିବସ୍ତରୀୟ ଅଧିକାରୀ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମୋବାଇଲ୍‌ କିଣିପାରିବେ। ସେହିପରି ସହାୟକ ନିର୍ଦ୍ଦେଶକସ୍ତରୀୟ ଅଧିକାରୀମାନେ ୨୦ ହଜାର ଟଙ୍କା ଦାମର ମୋବାଇଲ୍‌ କିଣି ପାରିବେ।

Share