Categories: ଜାତୀୟ

ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ୍‌, ୧୧ ନିଲମ୍ବିତ…

ଶ୍ରୀନଗର,୧୧।୭: ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ ସାଜି ଗୁପ୍ତ ତଥ୍ୟ ଯୋଗାଇବା ଘଟଣାରେ ଜମ୍ମୁ-କଶ୍ମୀରରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଚାକିରି କରି ସେମାନେ ଆତଙ୍କବାଦୀଙ୍କ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ କରିବା ସହିତ ଆବଶ୍ୟକସ୍ଥଳେ ଆଶ୍ରୟ ମଧ୍ୟ ଯୋଗାଇ ଦେଉଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଆତଙ୍କବାଦୀ ସଲାଉଦ୍ଦିନଙ୍କ ୨ ପୁଅ ମଧ୍ୟ ସାମିଲ ଅଛନ୍ତି। ସମ୍ପୃକ୍ତ ଅଭିଯୁକ୍ତମାନେ ଅଣ୍ଡର କଭର ଭାବେ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ। ସରକାରୀ ଚାକିରି କରିଥିବାରୁ ସେମାନଙ୍କ ପ୍ରତି ସନ୍ଦେହ ମଧ୍ୟ କରାଯାଉ ନ ଥିଲା। ୧୧ କର୍ମଚାରୀଙ୍କ ମଧ୍ୟରୁ ଅନନ୍ତନାଗର ୪ ଜଣ, ବଡ଼ଗାଓ୍ବଁର ୩, ବାରମୁଳାର ଜଣେ, ଶ୍ରୀନଗର ଏବଂ କୁପଓ୍ବାଡ଼ାର ଜଣେ ଲେଖାଏଁ ରହିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୪ ଶିକ୍ଷା ବିଭାଗ, ୨ ଜମ୍ମୁ-କଶ୍ମୀର ପୋଲିସ ବିଭାଗରେ କାମ କରୁଥିଲେ। ସେହିପରି କୃଷି, କୌଶଳ ବିକାଶ, ବିଦ୍ୟୁତ୍‌, ଶେର କଶ୍ମୀର ହସ୍ପିଟାଲ ଏବଂ ସ୍ବାସ୍ଥ୍ୟ ବିଭାଗର ଜଣେ ଲେଖାଏଁ କର୍ମଚାରୀ ରହିଛନ୍ତି। ଅଭିଯୁକ୍ତମାନେ ସରକାରଙ୍କଠାରୁ ଦରମା ନେଇ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଗୁପ୍ତଚରୀ କରୁଥିଲେ। ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

Share