Categories: ଜାତୀୟ

ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍‌ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ଘରୋଇ ସେକ୍ଟରରେ ଭର୍ତ୍ତି ହେଉଛନ୍ତି। ଏହା ଗୁରୁତର ଅନିୟମିତତା ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଗୁରୁବାର କହିଛନ୍ତି। ବାବୁମାନଙ୍କୁ ଅବସର ପରବର୍ତ୍ତୀ ଚାକିରି ଦେବା ପୂର୍ବରୁ ସମସ୍ତ ସରକାରୀ ସଂସ୍ଥା ବାଧ୍ୟତାମୂଳକ ଭିଜିଲାନ୍ସ ମଞ୍ଜୁରୀ ନେବା ଆବଶ୍ୟକ ବୋଲି ସିଭିସି ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି, ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ପରେ ଘରୋଇ ସଂସ୍ଥାରେ ପୂର୍ଣ୍ଣକାଳୀନ କିମ୍ବା ଚୁକ୍ତିଭିତ୍ତିକ ନିଯୁକ୍ତି ଗ୍ରହଣ କରୁଛନ୍ତି। ଏଥିପାଇଁ ଥିବା କୁଲିଂ ଅଫ୍‌ ସମୟ ପ୍ରତି ସେମାନେ ଧ୍ୟାନ ଦେଉନାହାନ୍ତି। ଏହା ସେମାନଙ୍କ କ୍ଷେତ୍ରରେ ଗୁରୁତର ଅସଦାଚରଣ। ସିଭିସି କେନ୍ଦ୍ର ସରକାରଙ୍କ ସବୁ ବିଭାଗର ସଚିବ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ଅବସରରେ ଏହା କହିଛନ୍ତି। ଅବସର ପରେ କୌଣସି ଘରୋଇ ସେକ୍ଟରରେ ନିଯୁକ୍ତି ଗ୍ରହଣ କରିବା ପୂର୍ବରୁ କର୍ମଚାରୀମାନେ ଯେପରି କୁଲିଂ ଅଫ୍‌ ସମୟକୁ ମାନିବେ ସେଥିପାଇଁ ସମସ୍ତ ସରକାରୀ ସଂସ୍ଥା ନିଜ କର୍ମଚାରୀମାନଙ୍କ ଲାଗି ଉପଯୁକ୍ତ ନିୟମାବଳୀ ଓ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସିଭିସି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିୟମର ଉଲ୍ଲଂଘନ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରଖିବାକୁ କମିଶନ କହିଛନ୍ତି।

Share