ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ

ଭବାନୀପାଟଣା,୩୦।୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଗତ ୧୨ ତାରିଖରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ତଥା ଆକାଉଣ୍ଟାଣ୍ଟ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୋମବାର ପୁଣି ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଧୋବା।

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଏମ୍‌ଜିଏନ୍‌ଆର୍‌ଇଜିଏ କାମର ବିଲ୍‌ କରାଇଦେବା ପାଇଁ ୩୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀ ଜଣକ ଭବାନୀପାଟଣା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭବାନୀପାଟଣା ଗାନ୍ଧୀଛକ ନିକଟରେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀ ଧନୁର୍ଜୟଙ୍କୁ ଧରିବାରେ ସଫଳ ହୋଇଥିଲେ। ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଭବାନୀପାଟଣା କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Share