Categories: ଜାତୀୟ

ଗୁରୁବାରରେ ମହିଳାଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ସରକାର: ଏଣିକି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୨।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ ଏଏପି ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି। କେଜ୍‌ରିୱାଲ ଗୁରୁବାରରେ ‘ମହିଳା ସମ୍ମାନ ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ଦିଲ୍ଲୀ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି।

ଏହି ଯୋଜନା ଅଧୀନରେ ସରକାର ପ୍ରତି ମାସରେ ଏକ ହଜାର ଟଙ୍କା ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। କେବଳ ଏତିକି ନୁହେଁ, ଅରବିନ୍ଦ କେଜ୍‌ରିୱାଲ ଘୋଷଣା କରିଛନ୍ତି, ନିର୍ବାଚନ ପରେ ମହିଳାମାନଙ୍କୁ ୧୦୦୦ଟଙ୍କା ବଦଳରେ ୨୧୦୦ଟଙ୍କା ଦିଆଯିବ। ଆସନ୍ତାକାଲିରୁ ମହିଳାମାନେ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ।

ଏହି ଅବସରରେ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଆଜି ମୁଁ ଦୁଇଟି ବଡ ଘୋଷଣା କରିବାକୁ ଯାଉଛି ଏବଂ ଏହା ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କ ପାଇଁ। ଆମେ ପ୍ରତି ମାସରେ ପ୍ରତିଶ୍ରୁତି ଦେଇଥିଲୁ ଯେ, ଆମେ ମହିଳାଙ୍କ ଆକାଉଣ୍ଟରେ ୧୦୦୦ ଟଙ୍କା ଜମା କରିବୁ। ଆଜି କ୍ୟାବିନେଟ ଏହାକୁ ପାସ କରିସାରିଛି, ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ ପଡିବ, ଥରେ ପଞ୍ଜୀକୃତ ହୋଇଗଲେ, ପ୍ରତି ମାସରେ ହଜାରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ।
କେଜ୍‌ରିୱାଲ ଆହୁରି ମଧ୍ୟ କହିଛନ୍ତି, ଆମେ ଗତ ଏପ୍ରିଲରେ ଏହା ଆରମ୍ଭ କରିବାକୁ ଯାଉଥିଲୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଲୋକମାନେ ମୋତେ ଭୁଲ ମାମଲାରେ ଜେଲକୁ ପଠାଇଥିଲେ। ମୁଁ ୬-୭ ମାସ ଜେଲରେ ରହିଥିଲି ଏବଂ ବାହାରକୁ ଆସିବା ପରେ ଆତିଶୀ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବହୁତ ସାହାଯ୍ୟ କରିଥିଲେ। ଆଜି ଏହା କାର୍ଯ୍ୟକାରୀ ହୋଇଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରାୟ ୬୭ ଲକ୍ଷ ମହିଳା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୩୮ ଲକ୍ଷ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ।

Share