ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ ା ବିଜେଡି ଶାସନରେ ‘କ୍ରିମିନାଲାଇଜେଶନ ଇନ୍‌ ପଲିଟିକ୍ସ’ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ା ଏହାର ସଦ୍ୟତମ ଉଦାହରଣ କୋରାପୁଟ ଜିଲା ଜୟପୁର ବ୍ରାହ୍ମଣୀ ଗ୍ରାମରେ ବନ୍ଧୁକ ମୁନରେ ଗଣବଳାତ୍କାର ଘଟଣା। ଏହି ଘଟଣାରେ ଅପରାଧୀଙ୍କୁ ସୁରକ୍ଷା ଦିଆଯାଉଥିବା ସରକାର ପ୍ରମାଣିତ କରିଛନ୍ତି ବୋଲି ଭାଜପା ଅଭିଯୋଗ କରିଛି।
ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସବିଶେଷ ସତ୍ୟାସତ୍ୟ ଜାଣିବା ପାଇଁ ଭାଜପାର ଏକ ପ୍ରତିନିଧି ଦଳ ବ୍ରାହ୍ମଣୀ ଗାଁକୁ ଗତ ୩୧ ତାରିଖରେ ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳରେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଏବଂ ବ୍ଲକ ଅଧ୍ୟକ୍ଷା ସରୋଜିନୀ ଦାସ ସାମିଲ ଥିଲେ। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ଗତ ୨୪ ତାରିଖରେ ବନ୍ଧୁକ ମୁନରେ ଭୟଭୀତ କରାଯାଇ ମହିଳାଙ୍କ ସହ ଯେଉଁଭଳି ବଳାତ୍କାର କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ।
ମହିଳାଙ୍କ ପରିବାର ତରଫରୁ ରୁଜୁ ହୋଇଥିବା ମାମଲା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ସୁରକ୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନାହିଁ ବୋଲି ଐଶ୍ୱର୍ଯ୍ୟା କହିଛନ୍ତି।

Share