ସନ୍ତାନ ଜନ୍ମ ପାଇଁ ଲୋନ୍‌ ଦେଉଛନ୍ତି ସରକାର…

ବେଜିଂ, ୨୫।୧୨: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ଏବେ ସଙ୍କଟ ଦେଖାଦେଇଛି। ଏହାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକମାନଙ୍କୁ ଗୋଟିଏ ଶିଶୁ ଜନ୍ମ ଆଇନରୁ ସରକାର ମୁକ୍ତ କରିଛନ୍ତି। ଏହା ସହିତ କେତେକ ପ୍ରଦେଶରେ ଜନସଂଖ୍ୟା କମିବା ସହିତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢୁଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି।

ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶରେ ସରକାର ବିବାହିତ ଦମ୍ପତିଙ୍କୁ ୨୦୦,୦୦୦ ୟୁଆନ ପ୍ରଦାନ କରୁଛନ୍ତି। ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୩ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହାକୁ ବିବାହ ଏବଂ ଜନ୍ମ ଋଣ କୁହାଯାଉଛି। ଏହାକୁ ପ୍ରଦାନ କରିବାରେ ବ୍ୟାଙ୍କଗୁଡିକ ସହାୟତା କରିବେ ବୋଲି ସରକାରୀ ନିର୍ଦ୍ଦେଶ ଜାରି ହୋଇଛି।

ଗତ ୪୩ ବର୍ଷ ମଧ୍ୟରେ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବାରୁ ଜନସଂଖ୍ୟାକୁ କିପରି ପୁଣି ବୃଦ୍ଧି କରାଯିବ ସେ ନେଇ ସରକାର ଚିନ୍ତାରେ ରହିଛନ୍ତି। ବ୍ୟବସାୟ ଆରମ୍ଭ କରିବା ଉପରେ ଏଭଳି ଦମ୍ପତିଙ୍କୁ ସରକାରଙ୍କ ପକ୍ଷରୁ ଟିକସ ଛାଡ କରାଯିବ ବୋଲି ଘୋଷଣା କରାଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯଦି ଦୁଇ କିମ୍ବା ତିନି ପିଲା ଥିବା ଦମ୍ପତି ଏକ ଛୋଟ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ସେମାନଙ୍କୁ ଟିକସ ଛାଡ କରାଯିବ। ବିଗତ ଏକ ଦଶନ୍ଧି ଧରି ଜିଲିନ ପ୍ରଦେଶ ଜନସଂଖ୍ୟା ହ୍ରାସ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ସମ୍ମୁଖୀନ ହୋଇଛି । ୧୯୭୮ ପରଠାରୁ ଚାଇନାର ଜନ୍ମ ହାର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଫଳରେ ସରକାର ଜନସଂଖ୍ୟା ସଙ୍କଟ ଦୂର କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଚାଇନାର ସରକାରୀ ବିଭାଗ, ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦ ରେ ଜନ୍ମ ହାର ପ୍ରତି ହଜାରେ ଲୋକରେ ୮.୫ ପ୍ରତିଶତ ରେକର୍ଡ କରାଯାଇଛି। ଏହା ୧୯୭୮ ପରଠାରୁ ସର୍ବନିମ୍ନ ।

Share