Categories: ଜାତୀୟ

ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଲେ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। ଏପରିକି ଆବଶ୍ୟକ ହେଲେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯମୁନାରେ ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା କେଜ୍‌ରିଓ୍ବାଲ ସୂଚନା ଦେଇଛନ୍ତି।

ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ସମସ୍ୟା ସୃଷ୍ଟି ହୋଇଛି। ବର୍ଷାଦିନେ କିଛି ଅଞ୍ଚଳ ଜଳବନ୍ଦୀ ହୋଇଥାଏ। ହେଲେ ୨ଘଣ୍ଟା ମଧ୍ୟରେ ଜଳ ନିଷ୍କାସନ ହୋଇଯାଇଥାଏ। ହେଲେ ଦିଲ୍ଲୀରେ ୧୫୩ ମି.ମି. ବର୍ଷା ହୋଇଛି। ପ୍ରାୟ ୪୦ ବର୍ଷ ପରେ ଏଭଳି ବର୍ଷା ହୋଇଥିବା ସେ କହିଛନ୍ତି। ଯମୁନା ଜଳସ୍ତର ବୃଦ୍ଧି ହେତୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ପରସ୍ପର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଏହା ସମୟ ନୁହେଁ। ସମସ୍ତ ପ୍ରଭାବିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ ଅଞ୍ଚଳରେ ପ୍ରଥମ ଥର ପାଇଁ ଜଳସ୍ତର ବୃଦ୍ଧି ହେବା ଖବର ଆସିଛି। ଏହାର ମୁକାବିଲା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କେଜ୍‌ରିଓ୍ବାଲ କହିଛନ୍ତି।

Share