ଭରସା ଦେଲେ ସରକାର, ପାର୍ବଣ ସମୟରେ ମହଙ୍ଗା ହେବନାହିଁ ଖାଦ୍ୟପଦାର୍ଥ, କିନ୍ତୁ ବଜାରରେ ବଢିଚାଲିଛି ଦାମ୍

ନୂଆଦିଲ୍ଲୀ,୧୯ା୧୦: ବର୍ତ୍ତମାନ ପାର୍ବଣ ସମୟରେ ବଜାରରେ ଗହମ, ଚିନି ସମେତ ଅନ୍ୟାନ୍ୟ ଖାଦ୍ୟପଦାର୍ଥର ଦାମ୍ ବଢ଼ିବାରେ ଲାଗିଛି। ତେବେ ସରକାର ସାଧାରଣ ଲୋକଙ୍କୁ ଭରସା ଦେଇଛନ୍ତି ଯେ, ପାର୍ବଣ ଋତୁରେ ଜରୁରୀ ଖାଦ୍ୟ ପଦାର୍ଥର ଦାମ୍ ବୃଦ୍ଧି ପାଇବ ନାହିଁ, ନିୟନ୍ତ୍ରଣରେ ରହିବ। ଅନ୍ୟପଟେ କିନ୍ତୁ ସରକାରଙ୍କ ତଥ୍ୟ ଦେଖିଲେ ଖାଦ୍ୟ-ପାନୀୟ ଦ୍ରବ୍ୟ ଗୁଡିକର ଦାମରେ ବୃଦ୍ଧି ପାଇଁ ଚାଲିଛି।

ଗୁରୁବାର କେନ୍ଦ୍ର ଖାଦ୍ୟ ସଚିବ ସଂଜୀବ ଚୋପ୍ରା ଗହମ, ଚାଉଳ, ଚିନି ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଏବଂ ତେଲର ଘରୋଇ ଯୋଗାଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଥିଲେ କି ଏହି ପାର୍ବଣ ଋତୁ ସମୟରେ ଖାଦ୍ୟପଦାର୍ଥର ଦାମ୍ ସ୍ଥିର ରହିବ ବୋଲି ଆଶା ରହିଛି। ଦରଦାମ୍ କୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅନେକ ଗୁଡିଏ ନିଷ୍ପତି ନେଇଛନ୍ତି।

ତେବେ ସରକାରଙ୍କ ଏହି ଦାବି ବାସ୍ତବଠାରୁ କିଛି ଅଲଗା ଥିବା ବଜାର ମୂଲ୍ୟ ଦର୍ଶାଉଛି। କାରଣ ବଜାରରେ ଚାଉଳ, ଗହମ, ଡାଲି, ଚିନି ଆଦିର ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଯୋଗାଣ ବିଭାଗର ତଥ୍ୟ ଅନୁଯାୟୀ ୧ ଜୁଲାଇ ୨୦୨୩ ସୁଦ୍ଧା ଚାଉଳର ମୂଲ୍ୟ ୩୯.୯୮ ଟଙ୍କା ଥିଲା, ଯାହା ୧୯ ଅକ୍ଟୋବରକୁ ୪୨.୫୭ ଟଙ୍କା ରହିଛି। ସେହିପରି ଗହମ ୨୯ ଟଙ୍କାରୁ ୩୦ ଟଙ୍କା, ହରଡ ଡାଲି ୧୩୧ ଟଙ୍କାରୁ ୧୫୧ ଟଙ୍କା ଏବଂ ଚିନି ୪୨ ଟଙ୍କାରୁ ୪୪ ଟଙ୍କାରେ ପହଞ୍ଚିଛି।

Share