୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୁର୍ନିଆ ଜିଲାର ଜ୍ଞାନଡୋଭା ପଞ୍ଚାୟତର ସିମଲବାଡ଼ି ଅଞ୍ଚଳରେ କନକଈ ନଦୀ କୂଳରେ ଥିବା ପ୍ରାଥମିକ ସ୍କୁଲ ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଥିଲା। ସ୍କୁଲର ସ୍ଥିତି ଖରାପ ଥିବା ନେଇ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କୁହାଯାଉଛି। ଏଠାରେ ଛୋଟ ପିଲାମାନେ ବିପଦ ଶଙ୍କୁଳ ଅବସ୍ଥାରେ ପାଠପଢୁଥିବା ନେଇ ସ୍ଥାନୀୟ ପ୍ରଶାସନ ଜିଲା ପ୍ରଶାସନଙ୍କୁ ଚିଠି ଲେଖିଥିଲେ। ଗତ ୭୨ ଘଣ୍ଟାରେ ପୂର୍ନିଆ ଜିଲାରେ ୨୦୦ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିବା କୁହାଯାଉଛି।

Share