Categories: ଜାତୀୟ

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ କିଷାନ ସଂଘ (ବିକେୟୁ) ମୁଖ୍ୟ ନରେଶ ଟିକାଏତ୍‌ ରବିବାର କହିଛନ୍ତି। ସରକାର ଆଲୋଚନା ଲାଗି ଗୋଟିଏ ମାତ୍ର ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବାର ଦିନକ ପରେ ଟିକାଏତ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ସରକାର ଚାଷୀନେତାମାନଙ୍କୁ ମୁକ୍ତ କରିବା ସହ ଆଲୋଚନା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କଲେ ଏକ ସମ୍ମାନଜନକ ସମାଧାନରେ ପହଞ୍ଚତ୍ହେବ ବୋଲି କୃଷକ ନେତା ଟିକାଏତ୍‌ କହିଛନ୍ତି।
ଏକ ମଧ୍ୟବର୍ତ୍ତୀ ମାର୍ଗ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚାପରେ କୌଣସି କଥାକୁ ଚାଷୀମାନେ କଦାପି ମାନିନେବେ ନାହିଁ। ସରକାର କିମ୍ବା ପାର୍ଲାମେଣ୍ଟ ସେମାନଙ୍କ ନିକଟରେ ମୁଣ୍ଡ ନୁଆଁଉ ଏହା ଚାଷୀ ଚାହାନ୍ତି ନାହିଁ। ସେହିପରି ଚାଷୀମାନଙ୍କ ଆତ୍ମମର୍ଯ୍ୟାଦାର ସୁରକ୍ଷା ହେବା ଆବଶ୍ୟକ ବୋଲି ବିକେୟୁ ନେତା କହିଛନ୍ତି।
ଶନିବାର ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଆନ୍ଦୋଳନରତ ଚାଷୀଙ୍କୁ କୃଷି ଆଇନର ପ୍ରସ୍ତାବ ଦେଇଥିଲେ, ଯାହା ଏବେ ବି ଅନାଲୋଚିତ ରହିଛି। ଗତ ୨୬ ତାରିଖରେ ରାଜଧାନୀରେ ହିଂସା ପରେ ଆଲୋଚନା ଲାଗି କେନ୍ଦ୍ର ସରକାର ଏକ ଫୋନ୍‌ କଲ୍‌କୁ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ୨୬ ତାରିଖ ହିଂସା ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ତ୍ରରଙ୍ଗା ସବୁଠୁ ଊର୍ଦ୍ଧ୍ୱରେ। ଏହାକୁ ଅସମ୍ମାନିତ କରିବାକୁ କାହାକୁ ଦେବୁନାହିଁ ବୋଲି ଟିକାଏତ୍‌ କହିଛନ୍ତି। ଦିଲ୍ଲୀ ପୋଲିସ ସାଧାରଣତନ୍ତ୍ର ଦିବସ ହିଂସା ଘଟଣାରେ ପାଖାପାଖି ୪୦ ମାମଲା ଦାଏର କରିବା ସହ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଛି। ସେମାନଙ୍କୁ ସରକାର ଛାଡ଼ିଦେବା ସହ ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରନ୍ତୁ ବୋଲି ଟିକାଏତ ଦୋହରାଇଥିଲେ।

Share