‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ ଦଳ ନିନ୍ଦା କରିବା ସହ ବିରୋଧୀ ଟିକାକରଣକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।
ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ୍‌ ଟିକାକରଣ ପ୍ରସଙ୍ଗରେ କିଛି ସ୍ବତନ୍ତ୍ର ଅଧିକାର ରହିବା ଦରକାର ବୋଲି ଓଡ଼ିଶା ସରକାର ବାରମ୍ବାର କହିଆସୁଥିଲେ। ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ କିଛି ପ୍ରସ୍ତାବ ଦେଇଥିଲେ, ଯାହାକି ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଯାଇଥିଲା। ଖୋଲା ବଜାରରେ କୋଭିଡ୍‌ ଟିକା ଉପଲବ୍ଧ ହେଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ମଧ୍ୟ କହିଥିଲେ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ବିଶେଷଜ୍ଞ, ଡାକ୍ତର, ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଏବଂ ଖୋଲା ବଜାରରେ ୫୦ ପ୍ରତିଶତ ଟିକା ଉପଲବ୍ଧ କରାଇବାର ବ୍ୟବସ୍ଥା ଗ୍ରହଣ କଲେ। ଏବେ ରାଜ୍ୟ ସରକାର ନିଜ ଆଡୁ ଆଗେଇ ଆସି ଓଡ଼ିଶା ପାଇଁ ଆବଶ୍ୟକ ପରିମାଣର ଟିକା କ୍ରୟ କରି ମାଗଣାରେ ଯୋଗାଇଦେବାର ଘୋଷଣା କରନ୍ତୁ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି। କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ଓଡ଼ିଶାରେ ପ୍ରାୟ ୭୦ ଭାଗରୁ ଅଧିକ ଲୋକ ଗରିବ ସୀମାରେଖା ତଳେ ଅଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ କୋଭିଡ୍‌ ଟିକା ମାଗଣାରେ ଦିଆଯିବାର ଆବଶ୍ୟକତା ରହିଛି। ଏହି ଦାବି ସରକାର ତୁରନ୍ତ ପୂରଣ କରିବାକୁ ଘୋଷଣା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଉଥିବା ସେ କହିଛନ୍ତି। ଅପରପକ୍ଷରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, କୋଭିଡ୍‌ ରୋଗୀଙ୍କୁ ସରକାର ମାଗଣାରେ ଚିକିତ୍ସା ଯୋଗାଇ ଦେଉଛନ୍ତି। ଲୋକଙ୍କ ସୁବିଧା ଲାଗି ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯଦି ସମ୍ବଳ ଭିତରେ ଲୋକଙ୍କୁ ଟିକା ଯୋଗାଇ ଦିଆଯାଇପାରିବ ତେବେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Share