ସରକାର ସମସ୍ତ ସମ୍ବଳ ବିନିଯୋଗ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ବ୍ୟୁରୋ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହା ହେଉଛି ଆମର ମୂଳମନ୍ତ୍ର। ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳକୁ ବିନିଯୋଗ କରିବେ। ଶୁକ୍ରବାର ଶିଶୁ ବିଶେଷଜ୍ଞ ଡାକ୍ତରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କରୋନା ମହାମାରୀର ଦ୍ୱିତୀୟ ଲହରରେ ଲୋକଙ୍କ ଜୀବନ ବଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃତୀୟ ଲହର ପାଇଁ ଆମକୁ ସତର୍କତାର ସହ ପ୍ରସ୍ତୁତ ହେବାକୁ ପଡ଼ିବ। ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିବା ସମ୍ଭାବନା ରହିଛି। ଶିଶୁମାନଙ୍କ ଯତ୍ନ ଲାଗି ରାଜ୍ୟ ସରକାର ଭିତ୍ତିଭୂମି, ଔଷଧ, ଯନ୍ତ୍ରପାତି ଆଦି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତିି। ତେବେ ଡାକ୍ତରମାନଙ୍କ ତାଲିମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ସେଭଳି କିଛି ପରିସ୍ଥିତି ଆସେ ତେବେ ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେଡିକାଲ ଅଫିସର ଏବଂ ନର୍ସିଂ ଅଫିସରମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଚେତନତା ପାଇଁ ଏକ ଭିଡିଓଚିତ୍ର ଏବଂ ଆଗଧାଡ଼ିର କର୍ମୀମାନଙ୍କ ନିମନ୍ତେ ଏକ ପକେଟ ବୁକ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ବିଶେଷ ଉପାଦେୟ ହୋଇପାରିବ। ଏହା ୫-ଟି ମଡ୍ୟୁଲରେ ପ୍ରସ୍ତୁତ କରାଯାଇଛି। ଟେକ୍ନୋଲୋଜି ଓ ଟିମ୍‌ ଓ୍ବାର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ତାଲିମ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, କଟକର ୩ ଜଣ ଲେଖାଏ ଡାକ୍ତରଙ୍କ ସହ ଭାବବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ଇପିକଲ ଏମ୍‌ଡି ପୁନିଆ ଧନ୍ୟବାଦ ପ୍ରଦାନ କରିଥିଲେ।

Share