Categories: ଜାତୀୟ

୧୯ ଜୁଲାଇରେ ୮୨ ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସ୍‌ ଶୁଭାରମ୍ଭ କରିବେ ସରକାର…

ବେଙ୍ଗାଲୁରୁ,୧୮।୭ : କର୍ନାଟକରେ ରାଜ୍ୟ ସରକାର ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସ୍‌ ଶୁଭାରମ୍ଭ କରିବେ । ଏନେଇ ରାଜ୍ୟ ପଶୁପାଳନ ମନ୍ତ୍ରୀ ପ୍ରଭୁ ଚୌହ୍ବାନ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗୋହତ୍ୟା ନିୟମ ନିଷେଧାଦେଶ ଲାଗୁ ହେବା ପରେ ଇତିମଧ୍ୟରେ ୨୦ ହଜାରରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଯେ ଆଇନ ଲାଗୁ ହେବା ପରେ ବେଆଇନ ପରିବହନ ତଥା ଗୋହତ୍ୟା ସମ୍ପର୍କିତ ୯୦୦ରୁ ଅଧିକ ଏଫଆଇଆର ପଞ୍ଜୀକୃତ ହୋଇଛି।
ଗୋହତ୍ୟା ନିଷେଧ ଆଇନ, ପଶୁ କଲ୍ୟାଣ ବୋର୍ଡ ପ୍ରତିଷ୍ଠା, ପଶୁ ହେଲ୍ପଲାଇନ କେନ୍ଦ୍ର ପ୍ରତିଷ୍ଠା କରିବାରେ କର୍ନାଟକ ପ୍ରଥମ ରାଜ୍ୟ ବୋଲି ଚୌହ୍ବାନ କହିଛନ୍ତି। ରାଜ୍ୟରେ ଇତିମଧ୍ୟରେ ୪୦୦ ପ୍ରାଣୀ ଚିକିତ୍ସକ ନିଯୁକ୍ତି, ୨୫୦ ପ୍ରାଣୀ ଇନ୍ସପେକ୍ଟର, ଗୋମାତା ସହକାରି ସମିତି ଏବଂ ପୁଣ୍ୟକୋଟି ପୋଷ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମଧ୍ୟ କର୍ନାଟକ ପ୍ରଥମ ରାଜ୍ୟ ବୋଲି ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ବେଲାଗାଓ୍ବି ଜିଲାରେ ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ଜୁଲାଇ ୧୯ ରେ ୮୨ ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଆରମ୍ଭ ହୋଇଥିବା ୧୫ ଟି ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସର ସଫଳତା ପରେ ଏହି ପଦକ୍ଷେପ ନିଆଯାଇଛି। ସେତେବେଳେ ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଥିଲେ। ପଶୁପାଳନ ବିଭାଗ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି।

Share