ପାଟନା,୧୬।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ। ଯଦି କେହି ମଦ୍ୟପାନ କରିବା ପରେ ମରିଯାଏ, ତା’ହେଲେ ତାଙ୍କ ପ୍ରତି ଦୟାଭାବ ରହିବା ଉଚିତ୍ ନୁହେଁ। ଲୋକଙ୍କୁ ମଦ୍ୟପାନରୁ ବାରଣ କରାଯିବା ଉଚିତ୍ ବୋଲି ନୀତୀଶ କହିଛନ୍ତି। ଛପରାଠାରେ ହୋଇଥିବା ମଦ କାରବାର କାରଣରୁ ଗୁରୁବାର ଏସ୍ଏଚ୍ଓ ରିତେଶ ମିଶ୍ର ଏବଂ କନ୍ଷ୍ଟେବଳ ବିକାଶ ତିୱାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।