Categories: ଜାତୀୟ

ଦୀପାବଳି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ତୁରନ୍ତୁ କରିଦିଅନ୍ତୁ ଏହି କାମ, ନଚେତ୍‌ ମିଳିବନି ଟଙ୍କା

ନୂଆଦିଲ୍ଳୀ,୫।୯:ଦେଶର କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଏଥର ଦୀପାବଳି ପୂର୍ବରୁ ଆସିବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୃଷକମାନେ ଏହାର ଲାଭ ପାଇବାକୁ ହେଲେ କେନ୍ଦ୍ର ସରକାର କୃଷି ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅଧୀନରେ ସମସ୍ତ ହିତାଧିକାରୀ ଚାଷୀଙ୍କୁ ଏହି ମାସରେ କଓ୍ବୋଇସି(KYC)ଅପଡେଟ୍‌ କାର୍ଯ୍ୟ କରିବାକୁ କୁହାଯାଇଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପୂର୍ବ କିସ୍ତିରେ ଦେଶର ପ୍ରାୟ ନଅ କୋଟି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିଥିଲା।

ଦୀପାବଳି ପୂର୍ବରୁ କୃଷି ମନ୍ତ୍ରଣାଳୟ ହିତାଧିକାରୀ ଚାଷୀଙ୍କୁ ସମ୍ମାନ ନିଧି ଟଙ୍କା ଦେବାକୁ ଯାଉଛନ୍ତି। ଏଥିପାଇଁ ମନ୍ତ୍ରଣାଳୟ କୃଷକମାନଙ୍କୁ ସେମାନଙ୍କର କଓ୍ବୋଇସି କାର୍ଯ୍ୟ କରିବାକୁ କହିଛି। କୃଷି ମନ୍ତ୍ରଣାଳୟର ଅଧିକାରୀମାନେ ସଂପୃକ୍ତ ବିଭାଗ ମାଧ୍ୟମରେ ଗୁରୁବାର ଦେଶର ସମସ୍ତ କୃଷି ଅଧିକାରୀଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ଦେଶର ଅନେକ ହିତାଧିକାରୀ କୃଷକ ଏପର୍ଯ୍ୟନ୍ତ ସେମାନଙ୍କର କଓ୍ବୋଇସ ଅପ୍‌ଡେଟ୍‌ କରିନାହାଁନ୍ତି। ତେଣୁ ଯଥାଶୀଘ୍ର ଏହାର ଲାଭ ପାଇବାକୁ କେନ୍ଦ୍ର ସରକାର ସମସ୍ତ ଚାଷୀଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି।
କୃଷି ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଡିପି ସିଂ କହିଛନ୍ତି, କୃଷକମାନଙ୍କୁ ୧୮ତମ କିସ୍ତି ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ଯୋଜନାର ଲାଭ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ, ଯେଉଁ କୃଷକମାନେ ଇ-କଓ୍ବୋଇସି କରି ନାହାନ୍ତି ସେମାନେ ୧୮ତମ କିସ୍ତି ପାଇପାରିବେ ନାହିଁ। କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଅନେକ କୃଷକ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିନାହାଁନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କିଷାନ ସମ୍ମାନ ନିଧି ଅଧୀନରେ ୧୭ଟି କିସ୍ତି ରିଲିଜ୍‌ କରିଛନ୍ତି। ୧୭ତମ କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ମୁକ୍ତ କରାଯାଇଥିଲା। ଏହି ଅବଧିରେ ୯ କୋଟିରୁ ଅଧିକ ଚାଷୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇଥିଲେ। ଏହାପୂର୍ବରୁ ୧୬ତମ କିସ୍ତି ସମୟରେ କେନ୍ଦ୍ର ସରକାର ୨୧ହଜାର କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ଛାଡିଥିଲେ। ଏହି ଯୋଜନା ୨୦୧୯ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ଏଥିରେ କୃଷକମାନଙ୍କୁ ପ୍ରତିବର୍ଷ ତିନି କିସ୍ତିରେ ଛଅ ହଜାର ଟଙ୍କା ଦିଆଯାଏ।

Share