Categories: ଜାତୀୟ

ସରକାର ତୁମେ ମାନିନିଅ

ନୂଆଦିଲ୍ଲୀ,୧୦ା୧୨: ଯୁଦ୍ଧ ଜିତିବା ପରେ ହିଁ ଘରକୁ ଫେରିବ। ତା’ ପୂର୍ବରୁ କଦାପି ନୁହେଁ। ପୁଅର ଏହି କଥା ପଞ୍ଜାବର ୭୧ ବର୍ଷୀୟ କୃଷକ ଗୁର୍‌ଦେବ ସିଂଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେବାରେ ଲାଗିଛି। ନଭେମ୍ବର ୨୬ରେ ପୁଅ ହିଁ ସାହସ ଦେଇଥିଲା ଦିଲ୍ଲୀକୁ ଯାଇ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ସଂଗ୍ରାମ କରିବାକୁ। ନିକଟରେ ଆଣ୍ଠୁ ଅସ୍ତ୍ରେପଚାର କରାଇଥିବା ଗୁର୍‌ଦେବ ସେଥିଲାଗି କେନ୍ଦ୍ର ଉଦ୍ଦେଶ୍ୟରେ ସ୍ଲୋଗାନ ଦେଉଛନ୍ତି ‘ଆମର ଦାବି ପୂରଣ କର’…‘ସରକାର ତୁମେ ମାନିନିଅ’।
ପଞ୍ଜାବର ଜଳନ୍ଧର ଜିଲା ସିନୁପୁର ଗ୍ରାମର ସାହସୀ ସର୍ଦ୍ଦାର ଗୁର୍‌ଦେବ ହେଉଛନ୍ତି ସିଙ୍ଗୁର ସୀମାରେ ୧୪ ଦିନ ଧରି ଜିଦ୍‌ରେ ଅଟଳ ରହିଥିବା ଶତାଧିକ ବୟୋଜ୍ୟେଷ୍ଠ କୃଷକମାନଙ୍କ ମଧ୍ୟରୁ ଅନ୍ୟତମ। ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଥିବାବେଳେ ଶହ ଶହ ମାଇଲ ଦୂରରେ ଥିବା ପଞ୍ଜାବ ଓ ହରିୟାଣାର ଅନ୍ନଦାତା ଦାବି ପୂରଣ ନ ହେବା ଯାଏ ଘରକୁ ଫେରିବେନି ବୋଲି ଭୀଷ୍ମ ପ୍ରତିଜ୍ଞା କରିଛନ୍ତି। ଗୁର୍‌ଦେବ କହିଛନ୍ତି, ମୋର ଯାହା ମନେପଡ଼ୁଛି ଆମ ପରିବାର ପିଢ଼ି ପିଢ଼ି ଧରି ଚାଷ ଉପରେ ନିର୍ଭରଶୀଳ। ମୁଁ ଏଠାକୁ ଆମ ପୂର୍ବପୁରୁଷଙ୍କ ସମ୍ମାନ ଓ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଲଢ଼େଇ କରିବାକୁ ଆସିଛି। ୪ ମାସ ତଳେ ଗୁର୍‌ଦେବଙ୍କ ଦୁଇ ଆଣ୍ଠୁ ଅସ୍ତ୍ରପୋଚାର କରାଯାଇଥିଲା। ସେ ବିନା କୌଣସି ସାହାରାରେ ଚାଲିପାରୁ ନ ଥିବା ସତ୍ତ୍ୱେ ଆନ୍ଦୋଳନ ପାଇଁ ଚଟ୍ଟାଣ ଭଳି ଛିଡ଼ା ହୋଇଛନ୍ତି। କହିଛନ୍ତି, ଆମେ ଯେଉଁ ପ୍ରସଙ୍ଗ ନେଇ ଲଢ଼େଇ କରୁଛୁ ତା’ ଆଗରେ ଏହି ଅସୁବିଧା କିଛି ନୁହେଁ। ମୋ ପୁଅ କହିଛି, ବାପା ଯୁଦ୍ଧ ଜିତିବା ପରେ ହିଁ ଫେରିବ। ଏକ ଟ୍ରାକ୍ଟର ଟ୍ରଲିରୁ ତଳକୁ ଓହ୍ଲାଇବା ପାଇଁ ତାଙ୍କୁ ଦୁଇଜଣ ବ୍ୟକ୍ତି ସହାୟତା ଦେଉଥିବାବେଳେ ‘ମୁଁ ମଧ୍ୟ ସେହି ଯୋଜନା କରିଛି’ ବୋଲି କହିଛନ୍ତି ଗୁର୍‌ଦେବ।
ଦୁଇଜଣ ବନ୍ଧୁ ନୁରପୁର ଗ୍ରାମର ସଜ୍ଜନ ସିଂ ଓ ପ୍ରିତମ ସିଂଙ୍କୁ ମଧ୍ୟ ୬୦ରୁ ଊର୍ଦ୍ଧ୍ୱ ବୟସ ହେଲାଣି। ସ୍ବାସ୍ଥ୍ୟ ଖରାପ ଥାଇ ବି ଦୁହେଁ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ିବସିଛନ୍ତି। ସଜ୍ଜନଙ୍କ ହାର୍ଟ ଓ କିଡ୍‌ନୀ ଅପରେଶନ କରାଯାଇଛି। ଇତିମଧ୍ୟରେ ତାଙ୍କ ବୋହୂ ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହାସତ୍ତ୍ୱେ ସରକାର ଆମ ଦାବି ନ ମାନିବା ଯାଏ ଘରକୁ ଫେରିବା ପ୍ରଶ୍ନ ଉଠୁନାହିଁ ବୋଲି ସଜ୍ଜନ କହିଛନ୍ତି। ସେହିପରି ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରିତମ ହାଇପରଟେନଶନ ରୋଗରେ ପୀଡ଼ିତ। ସେ ବି ଘରକୁ ଫେରିବାକୁ ନାରାଜ।

Share