Advertisement

ସରକାର ଆର୍ଥିକ ଅସମାନତା ବଢ଼ାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୮।୧(ପି.ଟି.): ଭାଜପା ନେତୃତ୍ୱାଧୀନ ସରକାର ଦେଶରେ ଆର୍ଥିକ ଅସମାନତା ବଢ଼ାଉଥିବା କଂଗ୍ରେସ ମଙ୍ଗଳବାର ଅଭିଯୋଗ କରିଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ପ୍ରତିଶତ ରହିଥିବାବେଳେ ତଳସ୍ତରରେ ଥିବା ୫୦ ପ୍ରତିଶତଙ୍କ ପାଖରେ ମାତ୍ର ୩ ପ୍ରତିଶତ ସମ୍ପତ୍ତି ରହିଥିବା ସୋମବାର ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୀତି ଫୋରମ୍‌ର ବାର୍ଷିକ ସମ୍ମିଳନୀରେ ଅକ୍ସଫାମ୍‌ ଇଣ୍ଟରନ୍ୟାଶନାଲ ଦାଖଲ କରିଥିବା ରିପୋର୍ଟରେ କୁହାଯାଇଥିଲା। ଭାରତରେ ଭାଜପା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ଏତେ ବଢ଼ାଇ ଦେଇଛି ଯେ ସାଧାରଣ ଲୋକେ ରସାତଳଗାମୀ ହୋଇଗଲେଣି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଆର୍ଥତ୍କ ଅସମାନତାର ତାରତମ୍ୟ ପୂରଣ କରିବା ଲାଗି ଭାରତ ଯୋଡ଼ୋ ଯାତ୍ରା କରାଯାଉଥିବା ଖାର୍ଗେ ଟୁଇଟ୍‌ କରିଛନ୍ତି। ଦେଶରେ ଦାରିଦ୍ର୍ୟ ବଢ଼ାଉଥିବା ସରକାରଙ୍କ ନୀତି ବିରୋଧରେ ଭାରତ ଯୋଡ଼ୋ ଯାତ୍ରା ଲୋକଙ୍କ ସ୍ବର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥିଲା। ପ୍ରଧାନମନ୍ତ୍ରୀଙ୍କ ଦାରିଦ୍ର୍ୟ ବୃଦ୍ଧି ନୀତି ଯୋଗୁ ଦେଶରେ ଗରିବୀ ବଢ଼ୁଛି। ମୋଦି ସରକାର ଅଳ୍ପ କେତେଜଣ ଧନୀଙ୍କ ପାଇଁ କାର୍ଯ୍ୟ କରୁଛି। ୨୧ ଜଣ ଧନୀ ଭାରତୀୟଙ୍କ ପାଖରେ ଥିବା ସମ୍ପତ୍ତି ୭୦ କୋଟି ଲୋକଙ୍କ ସମ୍ପତ୍ତିଠାରୁ ଅଧିକ ବୋଲି କଂଗ୍ରେସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share