Categories: ଜାତୀୟ

ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ବିଦ୍ୟାଳୟକୁ ଏସବୁ ଜିତିଷ ଆଣିପାରିବେନି ଛାତ୍ରଛାତ୍ରୀ

ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁରର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଝଗଡା ପରେ ଆରମ୍ଭ ହୋଇଥିବା ହିଂସା ପରେ ଭଜନ ଲାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଉଦୟପୁର ହିଂସା ପରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାର ସାରା ରାଜ୍ୟରେ ବିଦ୍ୟାଳୟରେ ତୀକ୍ଷ୍ଣ ଜିନିଷ ଏବଂ ଅସ୍ତ୍ରଶସ୍ତ୍ର ଆଣିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଶିକ୍ଷା ନିର୍ଦ୍ଦେଶକ ଆଶିଷ ମୋଦି ଶନିବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସ୍କୁଲରେ ଛାତ୍ରୀଛାତ୍ରଙ୍କ ବ୍ୟାଗ ଯାଞ୍ଚ କରାଯିବ। ଆହୁରି ମଧ୍ୟ ବର୍ତ୍ତମାନ ବିଦ୍ୟାଳୟରେ ଯେକୌଣସି ତୀକ୍ଷ୍ଣ ସାମଗ୍ରୀ ଆଣିବା କଡା ନିଷେଧ। ଏହି କ୍ରମରେ ସମସ୍ତ ଅନୁଷ୍ଠାନ ମୁଖ୍ୟଙ୍କୁ ସମୟ ସମୟରେ ପିଲାମାନଙ୍କର ବ୍ୟାଗ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍‌ରେ ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦୟପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଛି। ଏହାସହ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।

ସୁରଜପୋଲ୍‌ ଥାନା ଅଞ୍ଚଳରେ ପୂର୍ବାହ୍ନ ୧୦ଟା ୩୦ରେ ଛୁରାମାଡ଼ ଘଟଣା ଘଟିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ସହରର ମାର୍କେଟ ଅଞ୍ଚଳରେ ଥିବା ଦୋକାନବନ୍ଦାର ବନ୍ଦ କରାଯାଇଥିଲା। ଏହାର କିଛି ସମୟ ପରେ ଉତ୍ତ୍ୟକ୍ତ ଲୋକେ ଟେକାମାଡ଼ କରିବା ସହ ଗାଡ଼ି ପୋଡ଼ାଜଳା କରିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଚିକିତ୍ସା ପରେ ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଆକ୍ରମଣ କରିଥିବା ଛାତ୍ର ଫେରାର ହୋଇଯାଇଛନ୍ତି।

Share