Categories: ଜାତୀୟ

ସରକାରଙ୍କ ନୂଆ ଯୋଜନା: ପୂଜାରୀଙ୍କୁ ବିବାହ କଲେ କନ୍ୟାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ବେଙ୍ଗାଲୁରୁ,୯।୧: କର୍ନାଟକ ସରକାର ରାଜ୍ୟରେ ବ୍ରାହ୍ମଣଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ପକ୍ଷରୁ ଦୁଇଟି ଯୋଜନା ପ୍ରଣୟନ କରାଯାଇଛି। ପ୍ରଥମ ଅରୁନ୍ଧତୀ ଯୋଜନାରେ ବ୍ରାହ୍ମଣ କନ୍ୟାଙ୍କୁ ବିବାହ ସମୟରେ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ସେହିପରି ଦ୍ୱିତୀୟ ମୈତ୍ରେୟୀ ଯୋଜନାରେ ପୂଜାରୀଙ୍କୁ ବିବାହ କରୁଥିବା କନ୍ୟାଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ବୋର୍ଡର ଅଧ୍ୟକ୍ଷ ଭାଜପା ନେତା ଏଚ୍‌.ଏସ୍‌. ସଚିଦାନନ୍ଦ ମୂର୍ତ୍ତି ଏନେଇ ସୂଚନା ଦେଇଛନ୍ତି। ଏହି ଯୋଜନା ଲାଗୁ କରିବା ଲାଗି ସରକାରଙ୍କ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଛି। ଅରୁନ୍ଧତୀ ଏବଂ ମୈତ୍ରେୟୀ ଯୋଜନାରେ ଅଲଗା ଅଲଗା ପାଣ୍ଠି ରହିଥିବା ସେ କହିଛନ୍ତି। ଯୋଜନା ଅନ୍ତର୍ଗତ ସହାୟତା ତିନିଟି କିସ୍ତିରେ ପ୍ରଦାନ କରାଯିବ। ତେବେ ଆବେଦନକାରୀଙ୍କୁ ତାଙ୍କ ପାଖରେ ୫ ଏକର ଅବା ଏହାଠାରୁ ଅଧିକ ଜମି ନ ଥିବାର ପ୍ରମାଣ ଦେବାକୁ ପଡ଼ିବ। ସେହିପରି ତାଙ୍କ ପାଖରେ ୧୦୦୦ ବର୍ଗଫୁଟରୁ ଅଧିକ ବାସ ଉପଯୋଗୀ ଜମି ନ ଥିବା ଏବଂ ତାଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବ ବୋଲି ବୋର୍ଡ ଅଧ୍ୟକ୍ଷ କହିଛନ୍ତି।

Share