Categories: ଜାତୀୟ

ଜୁଲାଇ ୨ରେ ବହୁମତ ସାବ୍ୟସ୍ତ କରିବେ ସିନ୍ଧେ

ମୁମ୍ବାଇ,୩୦।୬: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶନିବାର ଅର୍ଥାତ ଜୁଲାଇ ୨ ତାରିଖରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ର କ୍ୟାବିନେଟ ୨ ଦିନ ଅର୍ଥାତ୍‌ ଜୁଲାଇ ୨ ଏବଂ ୩ ପାଇଁ ରାଜ୍ୟ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଧିବେଶନର ପ୍ରଥମ ଦିନରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ନାନା ପାଟୋଲଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ରହିଛି। ସୂଚନାଯୋଗ୍ୟ, ଶିବସେନା ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଭାଜପାର ଦେବେନ୍ଦ୍ର ଫଡନବିସ୍‌ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦକ୍ଷିଣ ମୁମ୍ବାଇର ରାଜଭବନରେ ସନ୍ଧ୍ୟା ୭ଟା ୪୦ରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ଶିନ୍ଧେ ସ୍ବର୍ଗତ ଶିବସେନା ନେତା ବାଲାସାହେବ ଠାକରେ ଏବଂ ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଶପଥ ସମାପ୍ତ ହେବା ମାତ୍ରେ ତାଙ୍କ ସମର୍ଥକମାନେ ଠାକରେ ଏବଂ ଦିଘେଙ୍କ ପ୍ରଶଂସାରେ ସ୍ଲୋଗାନ ଦେଇଥିଲେ।

Share