Categories: ଜାତୀୟ

ଇସ୍ତଫା ଦେଲେ ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ, ଏସବୁ କାରଣ ଦର୍ଶାଇଲେ…

ଚଣ୍ଡିଗଡ଼,୩।୨ : ପଞ୍ଜାବର ରାଜ୍ୟପାଳ ତଥା ୟୁନିଅନ ଟେରିଟୋରୀ ଚଣ୍ଡିଗଡ଼ର ପ୍ରଶାସକ ବନୱାରୀ ଲାଲ ପୁରୋହିତ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବନୱାରୀ ଲାଲ ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ଇସ୍ତଫା ପତ୍ରରେ ବନୱାରୀ ଲାଲ ଲେଖିଛନ୍ତି ମୋର ବ୍ୟକ୍ତିଗତ କାରଣ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁ ମୁଁ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ଼ର ପ୍ରଶାସକ ପଦରୁ ଇସ୍ତଫା ଦେବି। ଦୟାକରି ଏହାକୁ ଗ୍ରହଣ କରନ୍ତୁ ।

୩୧ ଅଗଷ୍ଟ ୨୦୨୧ ରେ ପଞ୍ଜାବର ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ଆସାମ ଏବଂ ତାମିଲନାଡୁର ରାଜ୍ୟପାଳ ମଧ୍ୟ ଥିଲେ। ପଞ୍ଜାବରେ ତାଙ୍କର ଅଢ଼େଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବିବାଦ ସୃଷ୍ଟି କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମନଙ୍କ ସହ ଏପରି ବିବାଦ ଲାଗି ରହିଥିଲା ଯେ ଉଭୟଙ୍କୁ ସେମାନଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ପଡିଥିଲା।

୭୮ ବର୍ଷୀୟ ବନୱାରୀ ଲାଲ ଦୁଇଥର କଂଗ୍ରେସରୁ ଏବଂ ଥରେ ଭାଗପା ଟିକେଟରୁ ଏମପି ହୋଇଛନ୍ତି। ସେ ୧୯୭୭ ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୧୯୭୮ ରେ ନାଗପୁରରୁ ବିଧାନସଭା ନିର୍ବାଚନରେ ବିଦର୍ଭ ଆନ୍ଦୋଳନ କମିଟି ଟିକେଟରେ ଜିତିଥିଲେ।

୧୯୮୦ରେ ଦକ୍ଷିଣ ନାଗପୁରରୁ କଂଗ୍ରେସର ବିଧାୟକ ହୋଇଥିଲେ। ୧୯୮୪ ଏବଂ ୧୯୮୯ରେ ସେ କଂଗ୍ରେସ ଟିକେଟରେ ନାଗପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୧ ରେ ରାମମନ୍ଦିର ପ୍ରସଙ୍ଗରେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ୧୯୯୬ ରେ ଭାଜପା ତାଙ୍କୁ ଟିକେଟ ଦେଇଥିଲା ଏବଂ ସେ ତୃତୀୟ ଥର ପାଇଁ ଏମପି ହୋଇଥିଲେ।

Share