Categories: ଜାତୀୟ

ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲକୁ ବିଚାରାଧୀନରଖି ପାରିବେ ନାହିଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୪।୧୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ରାଜ୍ୟପାଳ ତାଙ୍କ କୌଣସି ବିଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଚାରାଧୀନ ରହିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟପାଳଙ୍କର ସାମ୍ବିଧାନିକ ଶକ୍ତି ଅଛି କିନ୍ତୁ ସେ ଏହି କ୍ଷମତାକୁ ରାଜ୍ୟ ସରକାରଙ୍କ ଆଇନ ପ୍ରଣୟନ କ୍ଷେତ୍ରରେ ଅପବ୍ୟବହାର କରିପାରିବେ ନାହିଁ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦଚୂଡ, ବିଚାରପତି ଜେବି ପାରଦୀଓ୍ବାଲା ଏବଂ ମନୋଜ ମିଶ୍ରଙ୍କ ବେଞ୍ଚ ଏହା କହିଛନ୍ତି।

ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ରାଜ୍ୟପାଳ ବିଲ ଅନୁମୋଦନ କରି ନ ଥିବା ଅଭିଯୋଗ କରିଛନ୍ତି। ତେବେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ କହିଛନ୍ତି ଜୁନ ମାସରେ ଡକାଯାଇଥିବା ଅଧିବେଶନ ଅସାମ୍ବିଧାନିକ, ତେଣୁ ସେହି ଅଧିବେଶନରେ କରାଯାଇଥିବା କାର୍ଯ୍ୟ ମଧ୍ୟ ଅସାମ୍ବିଧାନିକ ଅଟେ। ସରକାରଙ୍କ ଯୁକ୍ତି ହେଉଛି ବଜେଟ ଅଧିବେଶନ ସ୍ଥଗିତ ରଖାଯାଇ ନାହିଁ, ତେଣୁ ସରକାର ଯେତେବେଳେ ଚାହିଁବେ ପୁନର୍ବାର ଅଧିବେଶନକୁ ଡାକି ପାରିବେ। ପଞ୍ଜାବ ସରକାରଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ନଭେମ୍ବର ୧୦ ରେ ଦେଇଥିବା ନିଷ୍ପତ୍ତିରେ କହିଥିଲେ ନିଶ୍ଚିତ ଭାବରେ ରାଜ୍ୟପାଳ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଏକ ବିଲକୁ ରୋକି ପାରିବେ, କିନ୍ତୁ ଏହା କରିବାର ସଠିକ ଉପାୟ ହେଉଛି ସେ ପୁନର୍ବିଚାର କରିବା ପାଇଁ ଏହାକୁ ବିଧାନସଭାକୁ ପଠାନ୍ତୁ ।

ସୁପ୍ରିମକୋର୍ଟ କହିଛନ୍ତି ସଂଘୀୟତା ଏବଂ ଗଣତନ୍ତ୍ର ମୌଳିକ ଗଠନର ଏକ ଅଂଶ ଏବଂ ଉଭୟଙ୍କୁ ଅଲଗା କରାଯାଇପାରିବ ନାହିଁ। ଯଦି ଗୋଟିଏ ଉପାଦାନ ଦୁର୍ବଳ ହୋଇଯାଏ ତେବେ ଅନ୍ୟଟି ମଧ୍ୟ ବିପଦରେ ପଡ଼ିବ। ନାଗରିକମାନଙ୍କର ଆକାଂକ୍ଷା ଏବଂ ମୌଳିକ ସ୍ବାଧୀନତାକୁ ବାସ୍ତବ ରୂପ ଦେବା ପାଇଁ ଉଭୟଙ୍କ ସମନ୍ବୟରେ କାର୍ଯ୍ୟ କରିବା ଆବଶ୍ୟକ। ବିଧାନସଭା ପାରିତ ହୋଇଥିବା ବିଲ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଜାବ ସରକାରଙ୍କ ଜୁନ ବିଧାନସଭା ଅଧିବେଶନକୁ ସାମ୍ବିଧାନିକ ବୋଲି କୋର୍ଟ ଘୋଷଣା କରିଛନ୍ତି।

Share