Categories: ଜାତୀୟ

‘ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ ପକାଇ ରଖିପାରିବେନି ରାଜ୍ୟପାଳ’

ନୂଆଦିଲ୍ଲୀ,୨୫ା୧୧: ରାଜ୍ୟପାଳମାନେ ବିଲ୍‌ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ରାଜ୍ୟର ପ୍ରତୀକାମତ୍କ ମୁଖ୍ୟ ହିସାବରେ ରାଜ୍ୟପାଳଙ୍କ ହାତରେ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ସେ ବିଧାନସଭାର ଆଇନ ପ୍ରଣୟନରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ ତାକୁ ବ୍ୟବହାର କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଚେତାଇ ଦେଇଛନ୍ତି।
ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜ୍ୟପାଳ ହେଉଛନ୍ତି ରାଜ୍ୟର ଅନିର୍ବାଚିତ ମୁଖ୍ୟ, ଯାହାଙ୍କ ପାଖରେ କେତେକ ସାମ୍ବିଧାନିକ କ୍ଷମତା ରହିଥାଏ। ତେବେ ସେହି କ୍ଷମତାଗୁଡ଼ିକ ବିଧାନସଭାର ଆଇନ ପ୍ରଣୟନରେ ବାଧା ସୃଷ୍ଟି କରିପାରିବ ନାହିଁ।
ଅନୁଚ୍ଛେଦ ୨୦୦ ରାଜ୍ୟପାଳଙ୍କୁ ବିଧାନସଭାରେ ଗୃହୀତ ବିଲ୍‌କୁ ଅନୁମୋଦନ କିମ୍ବା ନାମଞ୍ଜୁର କରିବା ଅଥବା ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ନିମନ୍ତେ ପଠାଇବା କ୍ଷମତା ଦେଇଛି। ଅନୁଚ୍ଛେଦ ୨୦୦ର ମୂଳଭାଗରେ ପ୍ରଦତ୍ତ କ୍ଷମତା ଅନୁସାରେ ରାଜ୍ୟପାଳ ବିଲ୍‌କୁ ପକାଇରଖିଲେ ସେ ଯଥାଶୀଘ୍ର ସମ୍ଭବ ଏନେଇ ବିଧାନସଭାକୁ ଜଣାଇବେ। ରାଜ୍ୟପାଳଙ୍କୁ ଅପ୍ରତିହତ କ୍ଷମତା ପ୍ରଦାନ ଏକ ସୁନିର୍ବାଚିତ ବ୍ୟବସ୍ଥାପିକାର ଆଇନପ୍ରଣୟନ ସମ୍ପର୍କିତ କାର୍ଯ୍ୟକାରିତାରେ ବସ୍ତୁତଃ ଭେଟୋ ଲଗାଇଦେବ। ଏଭଳି କାର୍ଯ୍ୟ ସଂସଦୀୟ ସରକାର ବ୍ୟବସ୍ଥାଭିତ୍ତିକ ସାମ୍ବିଧାନିକ ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧାଚରଣ କରିବା ସଦୃଶ। ତେଣୁ ରାଜ୍ୟପାଳମାନେ କେଉଁ ବିକଳ୍ପକୁ ଆପଣାଇବାକୁ ଯାଉଛନ୍ତି ତାହା ମଧ୍ୟ ଘୋଷଣା କରିବା ଜରୁରୀ। ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କ ବିରୋଧରେ ରାଜ୍ୟର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଦାଖଲ କରିଥିବା ପିଟିଶନର ଏହି ରାୟ ନଭେମ୍ବର ୧୦ରେ ଆସିଥିଲା। ଗୁରୁବାର ଉକ୍ତ ରାୟର ବିସ୍ତୃତ ବିବରଣୀକୁ ୩ ଜଣିଆ ଖଣ୍ଡପୀଠ ସାର୍ବଜନୀନ କରିଛନ୍ତି। କେରଳ ଓ ତାମିଲନାଡୁ ସରକାର ମଧ୍ୟ ନିଜ ନିଜ ରାଜ୍ୟପାଳଙ୍କ ବିରୋଧରେ ଅନୁରୂପ ପିଟିଶନ ଦାଖଲ କରିଥିଲେ।

Share