ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୪ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ନିଜ ଏକ୍ସ ଆକାଉଣ୍ଟରେ ଶାନ୍ତିଲତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଓଡ଼ିଆ ସଙ୍ଗୀତ, ମୁଖ୍ୟତଃ ଭକ୍ତି ସଙ୍ଗୀତକୁ ତାଙ୍କର ଅବଦାନ ଅନନ୍ୟ ବୋଲି ଲେଖିଛନ୍ତି। ନିଜର କୃତି ଓ କୀର୍ତ୍ତି ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ସେ ଓଡ଼ିଶାର ଘରେଘରେ ସୁପରିଚିତ ଥିଲେ। ତାଙ୍କ ଭଜନ ଭକ୍ତି ଓ ସମର୍ପଣର ସଙ୍ଗୀତମୟ ନିବେଦନ ଥିଲା। ତାଙ୍କ ସ୍ବର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କ ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାନ୍ତିଲତାଙ୍କ ବିୟୋଗରେ ଦୁଃଖିତ ଓ ମର୍ମାହତ ଥିବା ଉଲ୍ଲେଖ କରିଛନ୍ତି। ତାଙ୍କର ଗୀତରେ ଆଧ୍ୟାତ୍ମିକତାର ଆବେଗ ଓ ସମର୍ପଣ ଭାବନା ଥିଲା। ସଙ୍ଗୀତ ମାଧ୍ୟମରେ ସେ ଓଡ଼ିଶାର ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ସେ କହିଛନ୍ତି। ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ମୁଖପାତ୍ର ସଞ୍ଜୟ କୁମାର ଦାସବର୍ମା ଶୋକ ପ୍ରକାଶ କରିଛନ୍ତି।

Share