Advertisement

ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି।

ନୃତ୍ୟଶିଳ୍ପୀଙ୍କ ଅଭିଯୋଗ ମୁତାବକ କିଛି ମାସ ପୂର୍ବେ ଜଣେ ପ୍ରସିଦ୍ଧ ଗାୟକଙ୍କ ଜରିଆରେ ସେ କୋଲକାତା ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ସେ ନିଜର ସମସ୍ୟା ଜଣାଇଥିଲେ। ରାଜ୍ୟପାଳ ତାର ସମାଧାନ ଲାଗି ଜଣେ ଅଧିକାରୀଙ୍କୁ ଭେଟ କରାଇବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ରାଜ୍ୟପାଳ ତାଙ୍କୁ ଦିଲ୍ଲୀ ନେଇ ଏକ ହୋଟେଲରେ ଅସଦାଚରଣ କରିଥିବା ସେ ଦର୍ଶାଇଛନ୍ତି। କିଛି ମାସ ପୂର୍ବେ ପୀଡ଼ିତା ନୃତ୍ୟଶିଳ୍ପୀ ଏନେଇ କୋଲକାତା ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୋଲିସ ପକ୍ଷରୁ ତଦନ୍ତ ରିପୋର୍ଟ ସଚିବାଳୟ ନବାନ୍ନଙ୍କୁ ପଠାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ତେବେ ଏହି ମାମଲା ରାଜ୍ୟପାଳଙ୍କ ବିରୋଧରେ ଦ୍ୱିତୀୟ ଅଭିଯୋଗ। କିଛି ସପ୍ତାହ ପୂର୍ବେ ରାଜଭବନରେ କାମ କରୁଥିବା ମହିଳା ଅସ୍ଥାୟୀ କର୍ମଚାରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ରାଜ୍ୟପାଳ ମହିଳାଜଣଙ୍କୁ ସ୍ଥାୟୀ ଚାକିରିର ପ୍ରଲୋଭନ ଦେଖାଇଥିବା ସେ ଦର୍ଶାଇଥିଲେ। ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଟିଏମ୍‌ସି ନେତାମାନେ ତାଙ୍କୁ କଟାକ୍ଷ କରୁଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ରାଜଭବନ ଯିବାକୁ ଡର ଲାଗୁଥିବା କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share