ବଲାଙ୍ଗୀର ଅଫିସ,୨୮ା୧୨: ବଲାଙ୍ଗୀର ରୋଟାରୀ କ୍ଲବ ଅଫ୍ ଇଲିଟ ପକ୍ଷରୁ ଆୟୋଜିତ ‘ଉଡ଼ାନ’ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷା ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ, ସେବା ମାଧ୍ୟମରେ ମୋକ୍ଷ ମିଳେ। ଏଣୁ ସେବାକୁ ଜୋର ଦେଇଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ପ୍ରଫେସର ମଧୁସୂଦନ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରୀ କ୍ଲବ ଅଫ୍ ଇଲିଟର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲାପାଳ ଚଞ୍ଚଳ ରାଣା, ରୋଟାରୀ କ୍ଲବ ଅଫ୍ ଇଲିଟ ସଭାପତି ରିଙ୍କୁ ପାତ୍ର ଓ ସମ୍ପାଦକ ମମତା ପରମାର ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ‘ଉଡ଼ାନ’ର କୃତୀ ଛାତ୍ରୀଙ୍କୁ ରାଜ୍ୟପାଳ ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉଡ଼ାନ ସ୍ମରଣିକାକୁ ମୁଖ୍ୟ ଅତିଥି ରାଜ୍ୟପାଳ ଉନ୍ମୋଚନ କରିଥିଲେ। ସଭାକୁ ସଭାପତି ରିଙ୍କୁ ପାତ୍ର ପରିଚାଳନା କରିଥିଲେ।