Categories: ଜାତୀୟ

ରାଜ୍ୟପାଳ କେବଳ ପୋଷ୍ଟମ୍ୟାନ୍‌, ଚିଠି ଖୋଲିବାର ଅଧିକାର ତାଙ୍କର ନାହିଁ, ଷ୍ଟାଲିନ୍‌ଙ୍କ ବିବାଦୀୟ ମନ୍ତବ୍ୟ…

ଚେନ୍ନାଇ, ୨୬।୪ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ରାଜ୍ୟପାଳଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ଜଣେ ପୋଷ୍ଟମ୍ୟାନ୍‌ ଭଳି। ତାଙ୍କର ଚିଠି ଖୋଲିବାର ଅଧିକାର ମଧ୍ୟ ନାହିଁ। ଗୋଟିଏ ଦିନ ପୂର୍ବରୁ ରାଜ୍ୟ ବିଧାନସଭାରେ ଏକ ବିଲ୍‌ ପାରିତ ହୋଇଥିଲା। ଏହା ଅନୁସାରେ ରାଜ୍ୟର ବିଶ୍ୱ ବିଦ୍ୟାଳୟରେ କୁଳପତି ନିଯୁକ୍ତି କରିବା ଅଧିକାର ରାଜ୍ୟ ସରକାରଙ୍କ ପାଖରେ ରହିବ। ଏହା ପୂର୍ବରୁ ଏହି ଅଧିକାର ରାଜ୍ୟପାଳଙ୍କ ପାଖରେ ରହିଥିଲା। ଷ୍ଟାଲିନ୍‌ କରିଛନ୍ତି ଯେ, ରାଜ୍ୟପାଳଙ୍କୁ କ୍ୟାବିନେଟରେ ପାରିତ ହୋଇଥିବା ବିଲ୍‌କୁ ସିଧା ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେବା ଆବଶ୍ୟକ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାଲିନ୍‌ ଏଭଳି କହିଛନ୍ତି। ସେହିପରି ଦ୍ରଓ୍ବିଦାର କଡ଼ଗମ୍‌ର ସଭାପତି କେ.ବିରାମଣି କହିଛନ୍ତି ଯେ, ରାଜ୍ୟପାଳ ଆର୍‌.ଏନ୍‌. ରବି କେବଳ ଜଣେ ପୋଷ୍ଟମ୍ୟାନ୍‌। ତାଙ୍କ ପାଖରେ ଚିଠି ଖୋଲିକରି ଦେଖିବାର ଅଧିକାର ମଧ୍ୟ ନାହିଁ। ସେ କେବଳ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ ଏବଂ ଉତ୍ତର ଲାଗି ଅପେକ୍ଷା କରିବେ। ଏହାପରେ ଷ୍ଟାଲିନ ମଧ୍ୟ ବିରାମଣିଙ୍କ ବିବୃତ୍ତିକୁ ଦୋହରାଇ ଥିଲେ।

ବିଧାନସଭାରେ ଷ୍ଟାଲିନ୍‌ କହିଥିଲେ ଯେ, ରାଜ୍ୟପାଳ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରୁଥିବାରୁ ପ୍ରଶାସନିକ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାପରେ ସେ ଗୁଜରାଟର ଉଦାହରଣ ଦେଇ ସେଠାରେ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଥିବା ଦର୍ଶାଇଥିଲେ।

Share