Advertisement

‘ରାଜ୍ୟପାଳ ନିର୍ବାଚିତ ପ୍ରତିନିଧି ନୁହନ୍ତି: ବିଲ୍ ପାସ୍ ହେବାରେ ବିଳମ୍ବ କାହିଁକି ହେଉଛି’, ପଞ୍ଜାବ ମାମଲାରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୧୧: ପଞ୍ଜାବ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଶୁଣାଣି କରି ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ପଞ୍ଜାବ ସରକାର ଦାଖଲ କରିଥିବା ପିଟିସନର ଶୁଣାଣି କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ପାରିତ ହୋଇଥିବା ବିଲ୍ ଗୁଡିକ ରାଜ୍ୟପାଳଙ୍କ ନିକଟକୁ ଯିବା ଆଗରୁ ସେ ଏହା ଉପରେ କାର୍ଯ୍ୟ କରିବା ଉଚିତ ବୋଲି କୋର୍ଟ କହିଥିଲେ। ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ବିଲ୍ ଗୁଡିକୁ ଅନୁମୋଦନ ଦେବା ପାଇଁ ବିଳମ୍ବ କରିବା ଅଭିଯୋଗରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

କୋର୍ଟ ଅତି କଡ଼ା ଭାଷାରେ କହିଛନ୍ତି ଯେ, ରାଜ୍ୟପାଳ ଲୋକମାନଙ୍କ ନିର୍ବାଚିତ ପ୍ରତିନିଧି ନୁହନ୍ତି, ମାମଲା କୋର୍ଟ ପର୍ଯ୍ୟନ୍ତ ଆସିବାର ନଥିଲା। ଏହା ପୂର୍ବରୁ ରାଜ୍ୟପାଳ ନିଜର ସାମାନ୍ୟ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି କୋର୍ଟ କହିଥିଲେ।

ନଭେମ୍ବର ୧୦ ତାରିଖରେ ହେବାକୁ ଥିବା ମାମଲାର ଆଗାମୀ ଶୁଣାଣି ପୂର୍ବରୁ ପଞ୍ଜାବ ରାଜ୍ୟପାଳଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ କୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share