Advertisement

ଏସ୍‌ଏଚ୍‌ଜି ମହିଳାଙ୍କଠାରୁ ସବାଇ ଘାସରେ ତିଆରି ସୋଫା କିଣିଲେ ରାଜ୍ୟପାଳ

ମୋରଡା,୨୦।୨(ସ୍ମାରକ ମାଜୀ): ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶୁଳିଆପଦା ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟପାଳ ପ୍ରଥମେ କୁଜିଡ଼ିହି ମଡେଲ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି କର୍ମଚାରୀଙ୍କ ସହିତ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଭେଟି ଥିଲେ।

ଏହି ଅବସରରେ କେତେଜଣ ଯୋଗ୍ୟ ହିତାଧିକାରୀ ଘର ମିଳି ନ ଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ। ଏପରି କି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ରାଜ୍ୟପାଳଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ।

ପରେ ରାଜ୍ୟପାଳ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡାକ୍ତର, ଆଶାକର୍ମୀଙ୍କ ସହିତ ଆଲୋଚନା କରିଥିଲେ। ଏପରି କି ସେ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ l ଏହା ପରେ ସାଲସାହି ଗସ୍ତ କରି ଓରମାସ ସବାଇ କ୍ଲଷ୍ଟରର ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ (ଏସ୍‌ଏଚ୍‌ଜି)ଭେଟି ସବାଇ ଘାସରେ ତିଆରି ବିଭିନ୍ନ ସାମଗ୍ରୀର ଚାହିଦା ବାବଦରେ ଅବଗତ ହୋଇଥିଲେ। ସବାଇ ଘାସରେ ତିଆରି ହୋଇଥିବା ଏକ ସୋଫା କିଣିଥିଲେ l

ରାଜ୍ୟପାଳ ବଡ଼ଢେଙ୍କିଆ ଗ୍ରାମରେ ପହଞ୍ଚି କୃଷକମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏପରିକି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ସହିତ ମୟୂରଭଞ୍ଜ ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ଏସ୍‌. ସୁଶ୍ରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share