ବଡ଼ ଭଉଣୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ):ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଗଣେଶୀ ଲାଲ୍‌ଙ୍କ ସ୍ଥାନରେ ରଘୁବରଙ୍କୁ ଅବସ୍ଥାପିତ କରାଯାଇଛି। ରଘୁବରଙ୍କୁ ରାଜ୍ୟପାଳଭାବେ ନିଯୁକ୍ତ କରାଯିବା ପରେ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଛି। ଝାଡ଼ଖଣ୍ଡର ଭାଜପା ନେତାମାନେ ରଘୁବରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷରେ ପରମ୍ପରା ଅନୁଯାୟୀ ରଘୁବର ଗୁରୁବାର ବଡ଼ଭଉଣୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ସାନ ଭାଇର ମଥାରେ ଚନ୍ଦନ, ସିନ୍ଦୂର ଲଗାଇ ଦୀପ ବନ୍ଦାପନା କରିଛନ୍ତି ବଡ଼ ଭଉଣୀ।
ଏହି ଅବସରରେ ରଘୁବର ପୁରୁଣା ଦିନର ସଂଘର୍ଷମୟ ସ୍ମୃତିକୁ ମନେ ପକାଇଛନ୍ତି। ଏଥିସହ ସେ ନିଜକୁ ଭାଗ୍ୟବାନ ବୋଲି ମନେ କରିଛନ୍ତି। ଟାଟା ଷ୍ଟିଲରେ ଜଣେ ସାଧାରଣ କର୍ମଚାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରଘୁବର ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରବେଶ କରିବା ସହ ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡବାସୀଙ୍କ ସେବା କରିବା ତାଙ୍କ ପାଇଁ ଏକ ବରଦାନ ଥିଲା। ତାଙ୍କୁ ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ କରିଥିବାରୁ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଜଣେ ଲୋକପ୍ରିୟ ନେତା ଭାବେ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି। ତେଣୁ ଓଡ଼ିଶାର ବିକାଶ ପାଇଁ ସେ ସବୁ ପ୍ରକାର ଚେଷ୍ଟା କରିବେ ବୋଲି ରଘୁବର କହିଛନ୍ତି।

Share