Categories: ଜାତୀୟ

କ୍ୟାବିନେଟ ପ୍ରସ୍ତାବ ଫେରାଇଦେଲେ ରାଜ୍ୟପାଳ

ଜୟପୁର,୨୮।୭: ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ଏଡାଇ ଚାଲିଛନ୍ତି। ଏପରିକି ରାଜ୍ୟ କ୍ୟାବିନେଟ ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ ଫେରାଇ ଦେଇଛନ୍ତି। ସରକାର ୨୧ ଦିନିଆ ନୋଟିସ୍‌ ଦେଲେ ଅଧିବେଶନ ଡକାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଯଦି ଆସ୍ଥାଭୋଟ ଲୋଡ଼ିବାକୁ ଚାହୁଁଛନ୍ତି ତେବେ ଏହା ଉଲ୍ଲେଖ କରି ସାନି କ୍ୟାବିନେଟ ପ୍ରସ୍ତାବ ପଠାଇଲେ ଶୀଘ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇପାରିବ ବୋଲି କଲରାଜ କହିଛନ୍ତି।
କ୍ୟାବିନେଟ ସୁପାରିସ୍‌କୁ ଫେରାଇଦେବା ସହ ରାଜ୍ୟପାଳ ୩ଟି ପ୍ରସ୍ତାବ ଦେଇଛନ୍ତି। ଯଦି ଆସ୍ଥାଭୋଟ ହୁଏ ତେବେ ସରକାର ଏହାର ସିଧା ପ୍ରସାରଣ କରାଇବା ଉଚିତ । ଏଥିସହିତ କରୋନା ମହାମାରୀ ବ୍ୟାପିଚାଲିଥିବାରୁ ଅଧିବେଶନ ବେଳେ ପ୍ରତିକାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ହେବ। ଆସ୍ଥାଭୋଟ ଲୋଡ଼ିବାକୁ ଚାହଁ କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଶ୍ନ କରିଥିଲେ। କରୋନା ଯୋଗୁ ସବୁ ସଦସ୍ୟଙ୍କୁ ଅଧିବେଶନକୁ ଡାକିବା ସମ୍ଭବ ନୁହେଁ ବୋଲି ପୂର୍ବରୁ ରାଜ୍ୟପାଳ କହିଥିଲେ।
ରାଜ୍ୟପାଳଙ୍କଠାରୁ ନିରାଶ ହେବା ପରେ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ରାଜ୍ୟର ରାଜନୈତିକ ସଙ୍କଟ ସମ୍ପର୍କରେ ଜଣାଇଛନ୍ତି। ଇତ୍ୟବସରରେ ଦଳର କେତେଜଣ ବିଧାୟକ ରାଷ୍ଟ୍ରପତିଙ୍କ ପାଖକୁ ସ୍ମାରକପତ୍ର ପଠାଇ ରାଜ୍ୟରେ ଦେଖାଦେଇଥିବା ସଙ୍କଟର ସମାଧାନ ଲାଗି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ରାଜସ୍ଥାନର ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଭାଜପା ଘୋଡ଼ାବେପାରରେ ସମ୍ପୃକ୍ତ ଥିତ୍ବା ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଫେୟାରମଣ୍ଟ ହୋଟେଲରେ ରହିଥିତ୍ବା କଂଗ୍ରେସ ବିଧାୟକମାନଙ୍କୁ ଗେହଲଟ କହିଥିଲେ, ସେ ରାଜ୍ୟପାଳଙ୍କ ଟାଳଟୁଳ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଦେଇଛନ୍ତି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ନିର୍ବାଚିତ ସରକାରଙ୍କ ପ୍ରସ୍ତାବକୁ ପ୍ରଥମ ଥର ପାଇଁ ରାଜ୍ୟପାଳ ଖାରଜ କରିଦେଇଥିବା ସେ କହିଛନ୍ତି। ଭାଜପା ଦ୍ୱାରା ରାଜ୍ୟରେ ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧର ଖୋଲା ଉଲ୍ଲଂଘନ ହେଉଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଭୟଭୀତ କରିବା ଲାଗି ସିବିଆଇ, ଇଡି ଏବଂ ଆୟକର ବିଭାଗର ଅପବ୍ୟବହାର କରାଯିବା ନିନ୍ଦନୀୟ ବୋଲି ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ କୁହାଯାଇଛି।

Share