Categories: ଜାତୀୟ

ରାଜ୍ୟପାଳ ମଝି ରାସ୍ତାରେ ବସିଲେ, କହିଲେ ମୋଦି-ଶାହାଙ୍କୁ ଫୋନ ଲଗାଅ…

ଥିରୁଭାନନ୍ତପୁରମ,୨୭।୧ : କେରଳ ରାଜ୍ୟପାଳ ଏବଂ ଏସଏଫଆଇକର୍ମୀମାନଙ୍କ ମଧ୍ୟରେ ପୁଣିଥରେ ବିବାଦ ଲାଗି ରହିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରାଯିବାରୁ ରାଗିଯାଇ କୋଲାମର ମଝି ରାସ୍ତାରେ ଏକ ଚେୟାରରେ ସେ ବସି ପଡ଼ିଥିଲେ। ସେ ଏସଏଫଆଇକର୍ମୀମାନଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି।

ସେ କହିଛନ୍ତି ମୁଁ ଏଠାରୁ ଆଗକୁ ହଟିବି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକନ୍ତୁ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୁଅନ୍ତୁ। ସେମାନଙ୍କ ସହ କଥାବାର୍ତ୍ତା ପରେ ହିଁ ମୁଁ ଆଗକୁ ଯିବି। ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ରାଜ୍ୟପାଳଙ୍କ ବିରୋଧର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ରାଗିଥିବାର ନଜର ଆସିଛନ୍ତି। ବାସ୍ତବରେ ଶାସକ ସିପିଆଇ (ଏମ)ର ଛାତ୍ର ସଂଗଠନ ଏସଏଫଆଇ (ଷ୍ଟୁଡେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ) ର କର୍ମକର୍ତ୍ତାମାନେ ଶନିବାର ସକାଳେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ।

ଏହା ତାଙ୍କୁ କ୍ରୋଧିତ କରିଥିଲା ଏବଂ ସେ ଏମସି ରୋଡରେ ତାଙ୍କ କନଭେନକୁ ଅଟକାଇଥିଲେ। ସେ ପ୍ରଥମେ ରାସ୍ତା ମଝିରେ ବସିଥିଲେ। ଯେତେବେଳେ ପୋଲିସ କର୍ମଚାରୀମାନେ ତାଙ୍କୁ ଏନେଇ ବୁଝାଇଥିଲେ, ସେ ରାସ୍ତାକଡ଼ ଚା ’ଦୋକାନ ବାହାରେ ଏକ ଚେୟାରରେ ବସି କହିଥିଲେ ମୁଁ ଏଠାରୁ ହଟିବି ନାହିଁ। ପୋଲିସ ଏସଏଫଆଇକୁ ସମର୍ଥନ କରୁଛି। ନିୟମ ଭାଙ୍ଗି ଏସଏଫଆଇ କର୍ମୀମାନେ ଅପରାଧ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଉ।

ରାଜ୍ୟପାଳ ଖାନଙ୍କ ବିରୋଧକୁ ଦୃଷ୍ଟିରେ ରଖି ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୩ ଜଣ ଏସଏଫଆଇକର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

 

 

 

Share